ଟ୍ରମ୍ପ-ପୁଟିନ ବୈଠକ ପୂର୍ବରୁ ମୋଦିଙ୍କୁ ଜେଲେନସ୍କିଙ୍କ ଫୋନ୍ କଲ୍, ଚାଲିଛି କ’ଣ…
1 min read
ନନ୍ଦିଘୋଷ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ-ପାଲେଷ୍ଟାଇ ଓ ଇସ୍ରାଏଲ-ଇରାନ ଯୁଦ୍ଧ । ଆଉ ଏହା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନାଟ୍ ବିଶ୍ବକୁ ଏମିତି ସ୍ଥିତିକୁ ଟାଣି ନେଇଛି ଘଡି କି ଘଡି ବୈଶ୍ବିକ ସ୍ତରରେ ଦେଖିବାକୁ ମିଳୁଛି ବଡ଼ ବଡ଼ ଅପଡେଟ୍ । ଗୋଟିଏ ପଟେ ଟ୍ରମ୍ପ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ ଲଗାଇଛନ୍ତି । ଯାହାକୁ ନେଇ ସାରା ବିଶ୍ବରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ, ଅଗଷ୍ଟ ୧୫ ତାରିଖରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ବୈଠକ ହେବାକୁ ଯାଉଛି । ଏହା ପୂର୍ବରୁ ଜେଲେନସ୍କି ବିଶ୍ବ ନେତାଙ୍କ ସହ ସମ୍ପର୍କ ବଢ଼ାଇବା ଆରମ୍ଭ କରି ଦେଇଛନ୍ତି । ଏହି କ୍ରମରେ ସୋମବାର ଜେଲେନସ୍କି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ଦୀର୍ଘ ସମୟ କଥା ହୋଇଥିବା ସୂଚନା ଦେଇଛନ୍ତି ।
ଜେଲେନସ୍କି ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛି । ଆମେ ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତାରରେ ଆଲୋଚନା କଲୁ । ଏଥିରେ ଦ୍ବିପକ୍ଷିକ ସହଯୋଗ ଓ କୁଟନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କଲୁ । ଆମ ଲୋକଙ୍କ ପ୍ରତି ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି ।
ଅନ୍ୟପକ୍ଷେ, ଜେଲେନସ୍କିଙ୍କ ସହ ଆଲୋଚନା ନେଇ ମୋଦି ମଧ୍ୟ ସ୍ପଷ୍ଟ କରିଛନ୍ତି । ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ନିକଟରେ ଘଟିଥିବା ଘଟଣାକ୍ରମ ସମ୍ପର୍କରେ ଆଲୋଚନା କରି ଖୁସି ଲାଗିଲା । ଶୀଘ୍ର ଓ ଶାନ୍ତିପୂର୍ଣ୍ଣ ଭାବେ ଯୁଦ୍ଧ ବନ୍ଦ କରିବାକୁ ସମସ୍ତ ପ୍ରକାର ଆବଶ୍ୟକତ ସହଯୋଗ କରାଯିବ ବୋଲି କହିଲି । ଭାରତ ଯୁଦ୍ଧ ବନ୍ଦ ନେଇ ସମସ୍ତ ପ୍ରକାର ସହଯୋଗ କରିବା ସହ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବାକୁ ପ୍ରତିବଦ୍ଧ ଥିବା ଜଣାଇଲି ।
ସୂଚନାଯୋଗ୍ୟ, ଋଷ ଆକ୍ରମଣରେ ୟୁକ୍ରେନରେ ହେଉଥିବା କ୍ଷତି ସମ୍ପର୍କରେ ଜେଲେନସ୍କି, ମୋଦିଙ୍କୁ ଅବଗତ କରାଇଛନ୍ତି । ଋଷ କେମିତି ଶହର ଓ ଗାଁକୁ ଟାର୍ଗେଟ କରୁଛି ସେ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି । ଗତକାଲି ଜେପୋରିଜ୍ଜିଆର ଏକ ବସ୍ ଡିପୋ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମୋଦିଙ୍କୁ କହିଥିଲେ । ଋଷ ଜାଣିଶୁଣି ସହର ଉପରେ ଆକ୍ରମଣ କରିବା କାରଣରୁ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଆକ୍ରମଣ ଏମିତି ସମୟରେ ହୋଇଛି, ଯେତେବେଳେ ଯୁଦ୍ଧ ଶେଷ କରିବାକୁ କୁଟନୈତିକ ସମ୍ଭାବନା ଦେଖାଦେଇଛି । ଜେଲେନସ୍କି ମୋଦିଙ୍କୁ ଏହା ମଧ୍ୟ କହିଛନ୍ତି, ଅସ୍ତ୍ରବିରତ ପାଇଁ ତତ୍ପରତା ଦେଖାଇବା ବଦଳରେ ଋଷ କେବଳ ଜବରଦଖଲ ଓ ହତ୍ୟା କରିବାକୁ ଲାଗିଛି ।