ଆସାମ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲା ; ଦୁଇ ପିଏସଓ ଗିରଫ

1 min read

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଡ଼ ହେବାରେ ଲାଗିଛି ଆସାମ ଗାୟକ ଜୁବିନ ଗର୍ଗ ମୃତ୍ୟୁ ମାମଲା। ଜୁବିନଙ୍କ ଦୁଇ ବ୍ୟକ୍ତିଗତ ନିରାପତ୍ତା ଅଧିକାରୀଙ୍କୁ ଗିରଫ କରିଛି ଆସାମ ପୋଲିସ। ସେମାନେ ହେଲେ ନନ୍ଦେଶ୍ବର ବୋରା ଓ ପରେଶ ବୈଶ୍ୟ। ଦୀର୍ଘ ଦିନ ଧରି ଜୁବିନଙ୍କ ସୁରକ୍ଷାରେ ସେମାନେ ଥିଲେ ନିୟୋଜିତ। ସେମାନଙ୍କୁ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଛି। ସେମାନଙ୍କ ବିରୋଧରେ କିଛି ଆର୍ଥିକ ଅନିୟମିତତା ଅଭିଯୋଗ ଆସିବା ପରେ ସେମାନଙ୍କୁ ସସପେଣ୍ଡ କରାଯାଇଥିଲା। ଗତ ୪ରୁ ୫ ବର୍ଷ ମଧ୍ୟରେ ସେମାନେ ପ୍ରାୟ ୧ କୋଟି ଟଙ୍କାର କାରବାର କରିଥିଲେ। ବୋରାଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଓ ବୈଶ୍ୟଙ୍କ ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା ଥିବା ସୂଚନା ମିଳିଥିଲା। ଗରିବ ଓ ଅସହାୟ ଲୋକଙ୍କୁ ସହାୟତା କରିବା ଲାଗି ଏହି ଦୁଇ ଜଣଙ୍କ ଆକାଉଣ୍ଟରେ ଜୁବିନ ଟଙ୍କା ରଖିଥିବା ଜଣାଯାଇଛି। ଜୁବିନଙ୍କ ପତ୍ନୀ ଗରିମା ସାଇକିଆ ଗର୍ଗ କହିଛନ୍ତି- ସାମାଜିକ କାର୍ଯ୍ଯ ଲାଗି ଏହି ଟଙ୍କା ଜମା ରଖାଯାଇଥିଲା ଏବଂ ଏହାର ଖର୍ଚ୍ଚକୁ ସେମାନେ ଡାଏରୀରେ ଲିପିବଦ୍ଧ କରୁଥିଲେ। ଏହି ଦୁଇ ଅଫିସର ଜୁବିନଙ୍କ ସହ ପ୍ରାୟ ୧୦ ବର୍ଷ ଧରି ରହିଥିଲେ। ଜୁବିନଙ୍କୁ ଉଲଫା ସଂଗଠନର ଧମକ ପରେ ଏହି ଦୁଇ ଅଫିସରଙ୍କୁ ନିଯୁକ୍ତି ଦେଇଥିଲା ଆସାମ ପୋଲିସ। ତେଣେ ଜୁବିନ ମାମଲାରେ ନ୍ୟାୟ ମାଗିଛନ୍ତି ତାଙ୍କ ଭଉଣୀ ପାମେ ବୋର୍ଥାକୁର।