ଜାତିପ୍ରଥା ପାଇଁ ଅଲୋଡ଼ା ହେଲା ଶବ
ବଲାଙ୍ଗୀର: ଜାତିପ୍ରଥା ପାଇଁ ଅଲୋଡ଼ା ହେଲା ଶବ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା କରୁଆଁଝର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସ୍ବାମୀଙ୍କ ଛଡ଼ା ଅନ୍ୟ ସମସ୍ତଙ୍କୁ ଶବ ଛୁଇଁବାକୁ ବାରଣ କଲେ କୁଲତା ସମାଜ । କରୁଆଁଝର ଗାଁର ଅନିଲ ପ୍ରଧାନ ୨୦୧୯ ମସିହାରେ ସୋନପୁର ଜିଲ୍ଲା ବୀରମହାରାଜପୁର ଅମରପାଲି ଗାଁର ସୀମାଞ୍ଜଳୀ ସାହୁଙ୍କୁ ବିବାହ କରିଥିଲେ I ବିବାହ ସମୟରେ ଅନିଲ ପ୍ରଧାନଙ୍କ ସାହି ପଡିଶା ସହ ବନ୍ଧୁବାନ୍ଧବ ବରଯାତ୍ରୀ ଯାଇ ଭୋଜିଭାତ ମଧ୍ୟ ଖାଇଥିଲେ ।
ହେଲେ ସୀମାଞ୍ଜଳୀଙ୍କ ଗର୍ଭରେ ପିଲା ନଷ୍ଟ ହେବାରୁ ସ୍ବାମୀ ଅନିଲଙ୍କୁ ବାସନ୍ଦ କରିଥିଲେ କୁଲତା ସମାଜ । ପରେ ଅନିଲଙ୍କ ପିତା କୁଲତା ସମାଜକୁ ୯୦୦୦ଟଙ୍କା ଫାଇନ ଦେଇଥିଲେ । ହେଲେ ଆଜି ସୀମାଞ୍ଜଳୀଙ୍କ ମୃତ୍ୟୁ ପରେ ଶବ ଛୁଇଁବାକୁ ମନା କରିଥିଲେ କୁଲତା ସମାଜ । ଦୀର୍ଘ ସମୟ ଧରି ଘରେ ଶବ ପଡିରହିବା ପରେ ଅନୀଲ କିଛି ଯୁବକଙ୍କ ସହାୟତାରେ ବଲାଙ୍ଗୀର ବିଭୁତିପଡା ଶ୍ମଶାନ ଘାଟରେ ସ୍ତ୍ରୀର ଶବ ସତ୍କାର କରିଛନ୍ତି I
ଶବ ସତ୍କାର ସମୟରେ ସୀମାଞ୍ଜଳୀଙ୍କ ଭାଇ ମଧ୍ୟ ଉପସ୍ଥିତ ରହି ଭଉଣୀର ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି I ଏଭଳି କୁତ୍ସିତ ଘୃଣ୍ୟ ପରମ୍ପରା ସୃଷ୍ଟି କରିଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବଲାଙ୍ଗୀର ଉପଜିଲ୍ଲାପାଳ କୁମାର ନାଗଭୂଷଣ ।
