ଓଡ଼ିଶାର କ୍ଷୁଦ୍ର ନିର୍ବାକ ଚଳଚ୍ଚିତ୍ରକୁ ଏକାଧିକ ଆନ୍ତର୍ଜାତିକ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶାର କ୍ଷୁଦ୍ର ନିର୍ବାକ ଚଳଚ୍ଚିତ୍ରକୁ ଏକାଧିକ ଆନ୍ତର୍ଜାତିକ ପୁରସ୍କାର । ସାଂପ୍ରତିକ ପରିସ୍ଥିତିକୁ ନେଇ ନିର୍ମିତ ଚଳଚ୍ଚିତ୍ରଟି ଆମେରିକା, ଭୁଟାନ ଓ ସିଙ୍ଗାପୁରରେ ପୁରସ୍କୃତ ହୋଇଛି । ଓଡ଼ିଆ ଲେଖକ ତଥା ନିର୍ଦ୍ଦେଶକ ଗଜେନ୍ଦ୍ର କୁମାର ପାଢ଼ୀଙ୍କ ନିର୍ବାକ ଚଳଚ୍ଚିତ୍ର ‘ଓ୍ବାରିଅରସ୍ ଓ୍ବାର ଓ୍ବିଦିନ’ ଚୟନକାରୀଙ୍କୁ ବେଶ୍‌ ପ୍ରଭାବିତ କରିଛି । କରୋନା ସମୟରେ ଜଣେ ନର୍ସ କିଭଳି ପ୍ରତିକୂଳ ପରିସ୍ଥିତିର ସମ୍ନା କରୁଛନ୍ତି, ଏହି କାହାଣୀ ଉପରେ ଚଳଚ୍ଚିତ୍ରଟି ଆଧାରିତ ।

କାହାଣୀରେ କର୍ତ୍ତବ୍ୟ ଆଗରେ ବଳି ପଡୁଛି ମା’ର ମମତା । କାଚ ସେପଟେ ଅମାନିଆ ଶିଶୁ । କାଚ ଏପଟେ ମା’ ମୁହଁର ବିକଳ ଚିତ୍ର । ଏଭଳି ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି କ୍ଷୁଦ୍ର ନିର୍ବାକ ଚଳଚ୍ଚତ୍ର ‘ଓ୍ବାରିଅରସ୍ ଓ୍ବାର ଓ୍ବିଦିନ’। କରୋନା ସମୟରେ ହସ୍ପିଟାଲରେ ଡ୍ୟୁଟି କରୁଥିବା ଜଣେ ନର୍ସ ଓ ତାଙ୍କ ପରିବାରକୁ ନେଇ ଗତିଶୀଳ ହୋଇଛି ଫିଲ୍ମ । ପୂରା ଫିଲ୍ମରେ ଡାଇଲଗ୍ ନାହିଁ, କିନ୍ତୁ ମୁହଁର ଏକ୍ସପ୍ରେସନ୍ ବଖାଣୁଛି ଭୂତାଣୁ ଭୟରେ କେମିତି ଜଣେ ମା’ ତାର ପିଲାକୁ କ୍ଷୀର ପିଆଇବା ପାଇଁ ବିକଳ ହେଉଛି । ଶେଷରେ କର୍ତ୍ତବ୍ୟ ସହ ମା’ ମମତାର ବିଜୟ ହେଉଛି ।

ଚଳଚ୍ଚିତ୍ରର ଅବଧି ମାତ୍ର ୧୨ ମିନିଟ୍ ୨୨ ସେକେଣ୍ଡ । ହେଲେ ବିଦେଶରେ ଚୟନକର୍ତ୍ତାଙ୍କୁ ବେଶ୍‌ ପ୍ରଭାବିତ କରିଛି । କୋଭିଡ୍‌ ଯୋଦ୍ଧାମାନଙ୍କୁ ଚଳଚ୍ଚିତ୍ରଟି ଦେଇଛି ବେଶ୍‌ ଉତ୍ସାହ । ଲସ୍‌ ଏଞ୍ଜେଲ୍‌ସ ଚଳଚ୍ଚିତ୍ର ମହୋତ୍ସବ, ଭୁଟାନ ଓ ସିଙ୍ଗାପୁରରେ ପୁରସ୍କୃତ ହୋଇଛି । ନିୟୁର୍କରେ ଏହା ଫାଇନାଲରେ ପହଞ୍ଚିଥିବା ବେଳେ ତୁର୍କୀର ଗୋଲ୍‌ଡେନ୍ ବ୍ରିଜ୍, ଇସ୍ତାନବୁଲ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଓ ଆନାଟୋଲିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି । ଗୋଟିଏ କ୍ଷୁଦ୍ର ନିର୍ବାକ ଚଳଚିତ୍ରକୁ ଏତେ ପୁରସ୍କାର ମିଳିବା ଓଡ଼ିଶା ପାଇଁ ଏକ ବିରଳ ଘଟଣା ଓ ଗୌରବର ବୋଲି ନିର୍ଦ୍ଦେଶକ କହିଛନ୍ତି । ଚଳଚ୍ଚିତ୍ରଟିରେ କୌଣସି ଭାଷା ବ୍ୟବହାର କରାଯାଇନଥିବା ବେଳେ କେବଳ ମ୍ୟୁଜିକ୍ ଲୋକଙ୍କୁ ଭାବାନ୍ତର କରୁଛି ।

Leave a Reply