ଆଇନଜୀବୀ ପୀତବାସ ପଣ୍ଡା ମର୍ଡର ଘଟଣାକୁ ବିତିଲା ଦୁଇ ଦିନ, ତଥାପି ପୋଲିସ ହାତ ଖାଲି

ସୋମବାର, କୁମାରପୂର୍ଣ୍ଣମା । କୁମାରପୂର୍ଣ୍ଣିମା ପାଇଁ ସମଗ୍ର ଜିଲ୍ଲା ଉତ୍ସବ ମୁଖର ଥିବା ବେଳେ ରାତି ପାଖାପାଖି ୧୦ଟା ବେଳକୁ ବ୍ରହ୍ମପୁରରେ ଫୁଟିଲା ଗୁଳି । ପୀତବାସ ପଣ୍ଡା, ଜଣେ ଜଣାଶୁଣା କ୍ରିମିନାଲ ଆଡଭୋକେଟ । ଆରଟିଆଇ ଆକ୍ଟିଭିଷ୍ଟ ସହ ଜଣେ ରାଜନେତା। ଗତ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଗୋପାଳପୁର ବିଧାୟକ ତଥା ଖଣମନ୍ତ୍ରୀ ବିଭୂତି ଜେନାଙ୍କ ପାଖ ଲୋକ। ଗିରିରୋଡରେ ଥିବା ନିଜ ଚାମ୍ବରରୁ ବୈକୁଣ୍ଠନଗରରେ ଥିବା ନିଜ ଘରକୁ ଫେରୁଥିଲେ ସ୍କୁଟି ଯୋଗେ । ଘର ଆଉ ୧୦୦ ମିଟର ଦୂର ଥିଲା । ଏତିକି ବେଳେ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ପୀତବାସଙ୍କୁ କଲେ ପଏଣ୍ଟ ବ୍ଲାଙ୍କ ଫାୟାରିଂ। ଗୁଳି ମାଡ଼ରେ ସ୍କୁଟିରୁ ତଳକୁ ଗଳି ପଡିଲେ ପୀତବାସ । ଆଉ ଫେରାର ହୋଇଗଲେ ଦୁଇ ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ପୀତବାସଙ୍କୁ ସ୍କୁଟି ଯୋଗେ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଘଟଣାସ୍ଥଳରେ ପହଞ୍ଚି ତନାଘନା କଲା ପୋଲିସ। ରାଜନେତା ମଧ୍ୟ ଦୁଃଖ ପ୍ରକାଶ କଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏଭଳି ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ। ଆଉ ଆଇନ ଶୃଙ୍ଖଳାକୁ ନେଇ ଉଠିଲା ପ୍ରଶ୍ନ। ମୁଖ୍ୟମନ୍ତ୍ରୀ କହିଲେ, ଅପରାଧୀଙ୍କୁ ଧରାଯିବ ଓ ଉଚିତ ଶାସ୍ତୀ ଦିଆଯିବ । ଏହାକୁ ଏକ ସୁପାରି କିଲିଂ ବୋଲି କେହି କେହି ଅନୁଭବ କରୁଛନ୍ତି । ତେଣୁ ଏ ଦିଗରେ ପୋଲିସ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି ଦାବି ହେଉଛି। ହେଲେ ଦୁଇ ଦିନ ପରେ ମଧ୍ୟ ପୋଲିସକୁ କୌଣସି ସୁରାକ ମିଳୁନି।

ଏବେ ପ୍ରଶ୍ନ ଉଠୁଛି, ପୀତବାସଙ୍କୁ ହତ୍ୟା ପଛର ସମ୍ଭାବ୍ୟ କାରଣ କଣ ହୋଇପାରେ । ପୀତବାସ ଜଣେ କ୍ରିମିନାଲ ଓକିଲ ଥିଲେ । ଏବେ ଏବେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫ ଆଶାୟୀ ପ୍ରାର୍ଥୀଙ୍କ ସମ୍ପର୍କରେ ଯୁକ୍ତି କରୁଥିଲେ । ସମ୍ଭବତଃ ଆଶାୟୀଙ୍କ ପକ୍ଷରୁ ଆଦାଲତରେ ମାମଲା ଲଢିଥାନ୍ତେ । ସେହିଭଳି ବହୁ ଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଓକିଲ ଥିଲେ ପୀତବାସ । କେବଳ ଏହି ଦୁଇଟି ଘଟଣା ନୁହେଁ, ବହୁ ଅପରାଧ ମାମଲାର ଓକିଲ ଥିଲେ ପୀତବାସ । ତେଣୁ ହତ୍ୟାକାଣ୍ଡ ପଛରେ ରହିଛି କି ବୃତ୍ତିଗତ କାରଣ ? ଆଜି ବ୍ରହ୍ମପୁର ଏସପି ପୀତବାସଙ୍କ ଚାମ୍ବରରେ ପହଞ୍ଚି ତଥ୍ୟ ପ୍ରମାଣ ଓ ସୁରାକ ଖୋଜିବାକୁ ଉଦ୍ୟମ କରିଛନ୍ତି । ହତ୍ୟାକାଣ୍ଡ ପୂର୍ବରୁ ପୀତବାସଙ୍କ ସହ କିଏ କିଏ କଥା ହୋଇଥିଲେ, ତାହା ଜାଣିବା ପାଇଁ କଲ ରେକର୍ଡ ମଧ୍ୟ ଯାଞ୍ଚ କରାଯାଇଛି । ହତ୍ୟାକାଣ୍ଡର ଅଳ୍ପ ସମୟ ପୂର୍ବରୁ ପୀତବାସ ସୋସିଆଲ ମିଡିଆରେ ଆକ୍ଟିଭ ଥିଲେ । ସେସବୁକୁ ମଧ୍ୟ ପୋଲିସ ତନ୍ନ ତନ୍ନ କରି ଯାଞ୍ଚ କରୁଛି । ଏହାରି ଭିତରେ ୬ଟି ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଜାରି ରଖିଛି ପୋଲିସ। ଏହାସହ ହତ୍ୟାକାରୀ ଧଳା ଶାର୍ଟ ପିନ୍ଧିଥିଲା ବୋଲି ସୂଚନା ଦେଇଛି ପୋଲିସ।

ଓକିଲାତି ସାଙ୍ଗକୁ ଜଣେ ଆରଟିଆଇ ଆକ୍ଟିଭିଷ୍ଟ ଭଳି କାମ କରୁଥିଲେ ପୀତବାସ । ବିଭିନ୍ନ ପ୍ରସଙ୍ଗରେ ସୂଚନା ସଂଗ୍ରହ କରୁଥିଲେ । ଫଳରେ ପ୍ରତିପକ୍ଷ ଅସୁବିଧାରେ ପଡୁଥିଲେ । ଏହା ମଧ୍ୟ ହତ୍ୟାକାଣ୍ଡ ପଛର କାରଣ ହୋଇପାରେ । ରାଜନେତା ହିସାବରେ ମଧ୍ୟ ରାଜନୈତିକ ଶତ୍ରୁତା ନିଶ୍ଚୟ ରହିଥିବ । ବିଶେଷ କରି ୨୦୨୪ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ, ଏହି ଶତ୍ରୁତା ଆହୁରି ବୃଦ୍ଧି ପାଇ ଥିାଇପାରେ । ଖଣିମନ୍ତ୍ରୀ ବିଭୂତି ଜେନାଙ୍କ ଅତି ପାଖ ଲୋକ ଥିଲେ ପୀତବାସ। ଫଳରେ ବିଜେପି ଭିତରେ ତାଙ୍କ ପ୍ରତି କେହି ଅସହିଷ୍ଣୁ ମଧ୍ୟ ହୋଇଥାଇପାରିନ୍ତି । ମନ୍ତ୍ରୀଙ୍କ ପାଖ ଲୋକ ହିସାବରେ ଜିଲ୍ଲାର ବାଲି, ପଥର ଆଦି ଲଘୁ ଖଣିଜ ଦ୍ରବ୍ୟର ଟେଣ୍ଡର ଆଦିରେ ମଧ୍ୟ ପୀତବାସଙ୍କ ଭୂମିକା ରହିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଲଘୁ ଖଣିଜ କାରବାର ସବୁବେଳେ ବିବାଦୀୟ ଓ ସ୍ପର୍ଶକାତର ପ୍ରସଙ୍ଗ । ଏହା ମଧ୍ୟ ହତ୍ୟାକାଣ୍ଡର କାରଣ ହୋଇଥାଇପାରେ । ସେହିଭଳି ଜମିଜମା ବିବାଦ ମଧ୍ୟ ପୀତବାସଙ୍କ ହତ୍ୟାର ଅନ୍ୟତମ କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ଗୋଟିଗୋଟି ହିସାବ କଲେ ଅସଂଖ୍ୟ ସମ୍ଭାବ୍ୟ କାରଣ ସାମ୍ନାକୁ ଆସିବା ସ୍ବାଭାବିକ । କିନ୍ତୁ ଏହି ସବୁ ସମ୍ଭାବ୍ୟ କାରଣ ଭିତରୁ ପ୍ରକୃତ କାରଣ ଖୋଜିବା ପୋଲିସ ପାଇଁ ହେବ ବଡ଼ ଚ୍ୟାଲେଞ୍ଜ।