ଇମ୍ରାନ, ରାଜପକ୍ଷେ, ହସୀନା ଓ ଗନୀ: କେଉଁଠି ଅଛନ୍ତି ଦକ୍ଷିଣ ଏସିଆର ୪ ବିସ୍ଥାପିତ ନେତା ?
1 min read
ଆଫଗାନିସ୍ତାନ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ ପରେ ନେପାଳର ରାଜନୈତିକ ସ୍ଥିତି ସମାନ ସ୍ଥିତିକୁ ଚାଲି ଆସିଛି । ଦକ୍ଷିଣ ଏସିଆର ଏହି ଦେଶର ରାଜନୀତିରେ ଗତ କିଛି ବର୍ଷରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ଏକଦା ଏହି ସବୁ ଦେଶ ମାନଙ୍କରେ ଶୀର୍ଷ ପଦରେ ରହିଥିବା ନେତାମାନେ ଏବେ କେଉଁଠି, ଅଛନ୍ତି ତାହା ଏକ ବଡ଼ ପ୍ରଶ୍ନ । ଅଶରଫ ଗନୀ, ଇମ୍ରାନ ଖାନ, ଶେଖ ହସୀନା ଓ ରାଜପକ୍ଷେଙ୍କ ପରି ପଲିଟିକାଲ ଏଲୀଟ ଏବେ ସତେ ଯେମିତି ଅଜଣା ରାଇଜରେ ଅନ୍ଧାରରେ ହଜିଯାଇଛନ୍ତି ।
ନେପାଳ ପ୍ରଧାନମନ୍ତ୍ରୀ କେପୀ ଶର୍ମା ଓଲି ସେପ୍ଟେମ୍ବର ୯ ତାରିଖରେ ଇସ୍ତଫା ଦେଇଥିଲେ । କାରଣ ସରକାରଙ୍କ ଦ୍ବାରା ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ଲାଗୁ ବିରୋଧରେ ଦେଶରେ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା । ଏପରିକି କଟକଣା ହଟିବା ପରେ ମଧ୍ୟ ନେପାଳରେ ପରବର୍ତ୍ତୀ ଦିନ ମଧ୍ୟ ବିରୋଧ ପ୍ରଦର୍ଶନ ଜାରି ରହିଥିଲା । ଏହି କ୍ରମରେ ୨୦୨୨ ପରେ ଭାରତର ପଡ଼ୋଶୀ ଦେଶରେ ଯୁବବର୍ଗଙ୍କ ନେତୃତ୍ବରେ ସରକାର ପରିବର୍ତ୍ତନ ହୋଇଥିବା ତୃତୀୟ ରାଷ୍ଟ୍ର ହୋଇଛି ନେପାଳ ।
ଶ୍ରୀଲଙ୍କା
୨୦୨୨ ମସିହା ଜୁଲାଇ ୧୩ରେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତ ଗୋଟାବାୟା ରାଜପକ୍ଷେ ମାଲଦୀପ ପଳାଇ ଯାଇଥିଲେ । ଜୁଲାଇ ୧୪ରେ ସେ ସିଙ୍ଗାପୁର ଚାଲିଯାଇଥିଲେ । ସିଙ୍ଗାପୁରରୁ ସେ ଇ-ମେଲ ଯୋଗେ ନିଜର ଇସ୍ତଫା ଦେଇଥିଲେ । ଆର୍ଥିକ ସଙ୍କଟରେ ବୁଡ଼ି ରହିଥିବା ଶ୍ରୀଲଙ୍କାରେ ଜନ ଆକ୍ରୋଶ ଦେଖିବାକୁ ମିଳିଥିଲା ।
ବାଂଲାଦେଶ
୨୦୨୪ ମସିହା ଅଗଷ୍ଟ ୫ରେ ଏକ ଛାତ୍ର ଆନ୍ଦୋଳନ ଓ ସୈନ୍ୟ ହସ୍ତକ୍ଷେପ ମଧ୍ୟରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନା ଇସ୍ତଫା ଦେଇଥିଲେ ଓ ଶରଣ ନେବାକୁ ହେଲିକପ୍ଟରରେ ଭାରତ ପଳାଇ ଯାଇଥିଲେ । ସ୍ଥିତି ଏପରି ହୋଇଥିଲା ଯେ, ହସୀନା ଜନତାଙ୍କୁ ସମ୍ବୋଧିତ ବି କରିପାରିନଥିଲେ ।
ଆଫଗାନିସ୍ତାନ
୨୦୨୧ ମସିହା ଅଗଷ୍ଟ ୧୫ରେ ତାଲିବାନ କାବୁଲ ଉପରେ କବଜା କରିବା ପରେ ପୂର୍ବତନ ଆଫଗାନ ରାଷ୍ଟ୍ରପତି ଅଶରଫ ଗନୀ ରାଷ୍ଟ୍ରପତି ଭବନରୁ ବାହାରି ବିମାନରେ ପଳାୟନ କରିଥିଲେ । ମାନବୀୟ ଆଧାରରେ ସଂଯୁକ୍ତ ଅରବ ଅମିରାତରେ ଶରଣ ମିଳିବା ପୂର୍ବରୁ ସେ ତାଜିକିସ୍ତାନରେ ପହଞ୍ଚିଥିଲେ । ସେବେଠାରୁ ସେ ଅବୁ ଧାବୀରେ ଏକ ଗୁପ୍ତ ସ୍ଥାନରେ ନିର୍ବାସିତ ଜୀବନ ବିତାଉଛନ୍ତି । ସେ ୨୦୧୪ ମସିହା ସେପ୍ଟେମ୍ବରରୁ ୨୦୨୧ ମସିହା ଅଗଷ୍ଟ ପର୍ଯ୍ୟନ୍ତ ଆଫଗାନିସ୍ତାନର ରାଷ୍ଟ୍ରପତି ଥିଲେ ।
ପାକିସ୍ତାନ
୨୦୨୩ ମସିହା ମେ ୯ରେ ଇମ୍ରାନ ଖାନଙ୍କୁ ଅଲ-କାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲାରେ ହେପାଜତକୁ ନିଆଯାଇଥିଲା । ତା’ପରେ ସାରା ପାକିସ୍ତାନରେ ବ୍ୟାପକ ପ୍ରଦର୍ଶନ ହୋଇଥିଲା । ୨୦୨୫ ମସିହା ଜାନୁଆରୀ ୧୭କୁ ତାଙ୍କୁ ଉକ୍ତ ମାମଲାରେ ୧୪ ବର୍ଷର ଜେଲ ଦଣ୍ଡ ଶୁଣାଣି କରାଯାଇଥିଲା ଓ ତାଙ୍କ ପତ୍ନୀ ବୁଶରା ବୀବୀଙ୍କୁ ୭ ବର୍ଷର ସଜ୍ଜା ହୋଇଥିଲା । ଇମ୍ରାନଙ୍କ ଉପରେ ବର୍ତ୍ତମାନ ୧୫୦ରୁଅଧିକ ଅପରାଧିକ ମାମଲା ଚାଲିଛି । ଇମ୍ରାନ ଏବେ ବି ଜେଲରେ ରହିଛନ୍ତି ।