କାହିଁକି ଅଧାରେ ବନ୍ଦ ହୋଇ ପଡ଼ିଛି ଏକାମ୍ର ଐତିହ୍ୟ ପ୍ରକଳ୍ପ ?

କାହିଁକି ଅଧାରେ ବନ୍ଦ ହୋଇ ପଡ଼ିଛି ଏକାମ୍ର ଐତିହ୍ୟ ପ୍ରକଳ୍ପ ? ରାଜ୍ୟ ସରକାରଙ୍କ ଅବହେଳା ନା ଠିକା ସଂସ୍ଥାର ମନମାନି ? ଜୁଲାଇ ମାସରୁ ବନ୍ଦ ହୋଇ ପଡ଼ିଛି ପ୍ରକଳ୍ପ କାମ । ଏହି ଐତିହ୍ୟ ପ୍ରକଳ୍ପ ବନ୍ଦ ହୋଇଯିବା ଘଟଣା ଅଗଣିତ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ରକ୍ଷେତ୍ର ବିକାଶ ପାଇଁ ଏହି ପ୍ରକଳ୍ପ କରିଥିଲେ । ମେଟ୍ରୋ ରେଳ ପରି ଏକାମ୍ର ପ୍ରକଳ୍ପ ଟେଣ୍ଡରକୁ ପ୍ରଥମେ ବାତିଲ କରିଦେଲେ ବିଜେପି ସରାକର । ପୁନଃ ଟେଣ୍ଡର ନାଁରେ ସମୟ ଗଡ଼ାଇଚାଲିଛନ୍ତି । ଫଳରେ ଅନିଶ୍ଚିତତା ଭିତରେ ଏକ୍ରାମ୍ର ପ୍ରକଳ୍ପ କାମ । ପୂର୍ବ ସରକାର ସମୟର ସମସ୍ତ ଯୋଜନା ବନ୍ଦ କରିବାକୁ ବିଜେପି ସରକାର ଷଡ଼ଯନ୍ତ୍ର କରୁଥିବା ବିଜେଡି ଅଭିଯୋଗ କରିଛି । ଏହି ଐତିହ୍ୟ ପ୍ରକଳ୍ପ ଜରିଆରେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟକରଣ ସହ ବିଭିନ୍ନ ସ୍କାରକୀ, ପବିତ୍ର ପୁଷ୍କରିଣୀ ଏବଂ ଜଳାଶୟର ପୁନରୁଦ୍ଧାର, ଯାନବାହନ ଚଳାଚଳ ନିମନ୍ତେ ଚଉଡ଼ା ରାସ୍ତା, ପଥଚାରୀଙ୍କ ପାଇଁ ଚଲାପଥ ଏବଂ ପାର୍କିଂ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ନିମନ୍ତେ ବ୍ୟାଖ୍ୟାନ କେନ୍ଦ୍ର, ସୂଚନା ଓ ନିୟନ୍ତ୍ରଣ କକ୍ଷ, ସ୍ଥାୟୀ ଭଜନ ମଣ୍ଡପ, ସାମନ୍ତରାପୁର ଛକରୁ ରଥଦାଣ୍ଡ ପର୍ଯ୍ୟନ୍ତ ଏକ ରିଂ ରୋଡ ନିର୍ମାଣ, ୫୦ ବସ୍ ଓ କାର୍ ପାର୍କିଂ ବ୍ୟବସ୍ଥା, ପାର୍କିଂସ୍ଥଳରେ ପର୍ଯ୍ୟଟକଙ୍କ ପାଇଁ ଦୋକାନ, ଶୌଚାଳୟ ଆଦି ବ୍ୟବସ୍ଥା ଓ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ବ୍ୟାଟେରି ଯାନର ବ୍ୟବସ୍ଥା, କୋଟିତୀର୍ଥରୁ ତାଳେଶ୍ଵର ଛକ ପର୍ଯ୍ୟନ୍ତ ରାସ୍ତା, ସହସ୍ରଲିଙ୍ଗ ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ,ଏକାମ୍ର ପ୍ରକଳ୍ପରେ ସଂସ୍କୃତି ପ୍ଲାଜା, ଲିଙ୍ଗରାଜ ପ୍ଲାଜା, ଅନନ୍ତ ବାସୁଦେବ ପ୍ଲାଜା, କେଦାରଗୌରୀ ପ୍ଲାଜା ତିଆରି ପାଇଁ ପ୍ରସ୍ତାବ ରହିଥିଲା । ବିଜେପି କ୍ଷମତାକୁ ଆସିବା ପରେ ନିଜେ ପୂର୍ତ୍ତମନ୍ତ୍ରୀ, ଏକାମ୍ର ବିଧାୟକ ଓ ଭୁବନେଶ୍ବର ସାଂସଦ ଦୁଇ ଥର ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କଲେ । ପ୍ରଥମେ କହିଲେ ୪୨ ପ୍ରତିଶତ କାମ ସରିଛି । ପରେ ପୁଣି କହିଲେ ମାତ୍ର ୧୦ ପ୍ରତିଶତ କାମ ହୋଇଛି । ସରକାରଙ୍କ ବଦଳୁଥିବା ଆଭିମୁଖ୍ୟକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି ।
୨୦୧୯ରେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର ଏକାମ୍ରକ୍ଷେତ୍ରକୁ ବିଶ୍ଵସ୍ତରୀୟ କରିବା ଲକ୍ଷ୍ୟରେ ଏକାମ୍ର ଐତିହ୍ୟ ପ୍ରକଳ୍ପ ଘୋଷଣା କରିଥିଲ । ଏ ନେଇ ମନ୍ଦିର ଚତୁଃପାର୍ଶ୍ବରୁ ଜବରଦଖଲ ହଟାଯାଇ ଜମି ଅଧିଗ୍ରହଣ କରାଯାଇଥିଲା । ଜମି ମାଲିକଙ୍କୁ ତାଙ୍କ ପୈତୃକ ସମ୍ପତ୍ତି ଛାଡ଼ିବାକୁ ସରକାରଙ୍କ ନିବେଦନକୁ ଗ୍ରହଣ କରିଥିଲେ ୧୦୧ ଜଣ ଜମି ମାଲିକ । ୧୧୪ ପ୍ଲଟର ପ୍ରାୟ ୫.୭ ଏକର ଜମି ଅଧିଗ୍ରହଣ କରାଯାଇଥିଲା । ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ ତିନିଦିନ ଧରି ହୋଇଥିଲା । ୨୦୨୩ ଜୁଲାଇ ୧୦ରେ ଓବିସିସି ପକ୍ଷରୁ ଏକ ଠିକା ସଂସ୍ଥାକୁ ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ଦିଆଗଲା । ପ୍ରଥମ ପର୍ଯ୍ୟାୟରେ ୧୫୬ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ୩୦ କୋଟି ଖର୍ଚ୍ଚ ହେବା ପରେ ଅଧାରୁ କାମ ବନ୍ଦ ହୋଇ ପଡ଼ିରହିଛି । ହେଲେ ଜମି ଅଧିଗ୍ରହଣ ସହ ଠିକାସଂସ୍ଥାର ଅବହେଳାକୁ ଦାୟୀ କଲେ ବିଜେପି ସରକାର । ସାନି ଟେଣ୍ଡର ଆବଶ୍ୟକତାକୁ ଗୁରୁତ୍ବ ଦେଇଛି ବିଜେପି । ଏହା ବିରୋଧରେ କଂଗ୍ରେସ ସ୍ବର ଉଠାଇ ସରକାରଙ୍କ ଅପାରଗତାକୁ ଦାୟୀ କରିଛି ।