spot_img

Latest Posts

ଗଛ ମୂଳେ ବସ୍‌କୁ ଅପେକ୍ଷା…

କଟକ: ମରାମତି ହେଉନି ଯାତ୍ରୀ ପ୍ରତୀକ୍ଷାଳୟ । ଗଛ ମୂଳେ ବସ୍‌କୁ ଅପେକ୍ଷା । ହଟୁନି ଜବରଦଖଲ । କଟକ ସହରର ଅନେକ ସ୍ଥାନରେ ଏହି ଅବସ୍ଥା ।  ଫଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଯାତ୍ରୀ ମାନେ ରାସ୍ତା କଡ଼ରେ ଖରାରେ ଓ ଗଛମୂଳେ ବସକୁ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି । ସହରର ବଜ୍ରକବାଟି ନିକଟରେ ଥିବା ପ୍ରତୀକ୍ଷାଳୟର ଅବସ୍ଥା ତ ଅତିଶୋଚନୀୟ । ଏଠାରେ ଲାଗିଥିବା ବିଜ୍ଞାପନ ଫ୍ଲେକ୍ସଗୁଡ଼ିକ ଛିଡ଼ି ବାହାରି ଯାଇଥିବାବେଳେ ପ୍ରତୀକ୍ଷାଳୟର ସମ୍ମୁଖ ଭାଗରେ ଉଠା ଦୋକାନୀମାନେ ଜବରଦଖଲ କରି ବେପାର କରୁଛନ୍ତି । ସେହିଭଳି ଏସସିବି ମେଡ଼ିକାଲକୁ ପ୍ରତ୍ୟେକ ଦିନ ଦୂରଦୂରାନ୍ତରୁ ଅନେକ ରୋଗୀ ଚିକିତ୍ସା ହେବାକୁ ଆସୁଛନ୍ତି । ମେଡ଼ିକାଲ କାମ ସରିବା ପରେ ସେମାନଙ୍କୁ ରାସ୍ତା କଡ଼ରେ ଘଣ୍ଟାଘଣ୍ଟା ଛିଡ଼ା ହୋଇ ବସକୁ ଅପେକ୍ଷା କରିବାକୁ ପଡୁଛି । ଏପରି ଏକ ସମ୍ବେଦନଶୀଳ ଜାଗାରେ ପ୍ରଶାସନ ପକ୍ଷରୁ ଯାତ୍ରୀ ପ୍ରତୀକ୍ଷାଳୟ କରାଯିବାକୁ ସାଧାରଣରେ ଦାବି ହୋଇଛି ।

ଅନ୍ୟପଟେ ଓଏମ୍‌ପି ଗୋଲେଇ ଛକ ଏବଂ ମଧୁପାଟଣା ପରି ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ କୌଣସି ପ୍ରକାର ଯାତ୍ରୀ ପ୍ରତୀକ୍ଷାଳୟ ନଥିବା ଦେଖିବାକୁ ମିଳିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ସ୍ମାର୍ଟ ବସ୍ ଷ୍ଟପ୍ କାର୍ଯ୍ୟକାରୀ କରାଯାଇଥିବା କହିଛନ୍ତି ମେୟର । ଏହା କଟକ ସିଡ଼ିଏ ଅଞ୍ଚଳରୁ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ଯେଉଁ ଯେଉଁ ବିଭାଗ ଏଥିପାଇଁ ଦାୟିତ୍ୱରେ ଅଛନ୍ତି ଏଥିପାଇଁ କିଛି ପଦକ୍ଷେପ ନେବେ ବୋଲି ଆଶା ରହିଛି । ଏ ସରକାର କେବଳ ପ୍ରଚାର ଅଭିଯାନର ସରକାର ବୋଲି କହିଛନ୍ତି ମେୟର ସୁବାଷ ସିଂ!

ଯାତ୍ରୀ ପ୍ରତୀକ୍ଷାଳୟକୁ ନେଇ ଏଭଳି ବେପରୁଆ ମନୋଭାବ ଓ ରକ୍ଷଣାବେକ୍ଷଣର ଅଭାବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି !

Latest Posts

Don't Miss