spot_img

Latest Posts

ବିହାର ଦେଖିଲା ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ବିହାର ଦେଖିଲା ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ। ପାଟନା ଲୋକଭବନରେ ଆୟୋଜିତ ଉତ୍ସବରେ ଶପଥ ନେଇଛନ୍ତି ସମ୍ରାଟ। ଏହା ସହ ଜେଡିୟୁର ବିଜେନ୍ଦ୍ର ପ୍ରସାଦ ଯାଦବ ଓ ବିଜୟ ଚୌଧୁରୀ ବି ନେଇଛନ୍ତି ଶପଥ। ବିହାର ରାଜ୍ୟପାଳ ସମସ୍ତଙ୍କୁ କରିଥିଲେ ପଦ ଓ ଗୋପନୀୟତାର ଶପଥ ପାଠ। ବିଜେନ୍ଦ୍ର ପ୍ରସାଦ ଯାଦବ ଓ ବିଜୟ ଚୌଧୁରୀ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଗତକାଲି ଏନଡିଏ ବିଧାୟକ ଦଳ ବୈଠକରେ ସମ୍ରାଟଙ୍କୁ ନେତା ନିର୍ବାଚିତ କରାଯାଇଥିଲା। ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗତକାଲି ନିଜର ଶେଷ କ୍ୟାବିନେଟ ବୈଠକ ପରେ ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନିର୍ନ୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ନୀତୀଶ କୁମାର ଏପ୍ରିଲ ୧୦ ତାରିଖରେ ଶପଥ ଗ୍ରହଣ କରିଥିଲେ।

ସମ୍ରାଟ ଚୌଧୁରୀ ବିହାର ରାଜନୀତିରେ ଏକ ପ୍ରମୁଖ ବିଜେପି ନେତା। ସେ ୧୯୯୦ ଦଶକରେ ଆରଜେଡି ରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ପରେ ଜେଡିୟୁ ଓ ତାପରେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ତାଙ୍କ ରାଜନୈତିକ ଜୀବନ ବେଶ ଆଗକୁ ବଢିଛି । ସମ୍ରାଟ ଚୌଧୁରୀଙ୍କୁ ରାଜନୀତି ତାଙ୍କ ପିତା ଶକୁନି ଚୌଧୁରୀଙ୍କଠାରୁ ଉତ୍ତରାଧିକାରୀ ରୂପେ ମିଳିଥିଲା। ଶକୁନି ଚୌଧୁରୀ ବିହାର ରାଜନୀତିର ଜଣେ ବଡ଼ ନେତା ଥିଲେ । ସମ୍ରାଟ ଚୌଧୁରୀ ପିତାଙ୍କ ରାଜନୈତିକ ଶକ୍ତିର ସହାୟତାରେ ରାଜନୀତିର ମଞ୍ଚକୁ ଓହ୍ଲାଇ ଥିଲେ । ସେ ଆରଜେଡି ଛାଡ଼ି ଜେଡିୟୁରେ ଯୋଗ ଦେଇଥିଲେ। ଜେଡିୟୁ ଛାଡ଼ି ୨୦୧୮ ମସିହାରେ ବିଜେପିରେ ସାମିଲ ହେଲେ । ୧୯୯୯ରେ ଯୁବ ମନ୍ତ୍ରୀ ଭାବେ ବେଶ ପରିଚିତ ଥିଲେ । ପିତା ସମତା ପାର୍ଟି ଛାଡ଼ି ଲାଲୁ ଯାଦବଙ୍କ ସହ ଯୋଡ଼ି ହୋଇଥିଲେ। ଏହା ବଦଳରେ ଲାଲୁ ତାଙ୍କୁ ଏମଏଲସିକୁ ପଠାଇ ମନ୍ତ୍ରୀ ବନାଇଥିଲେ। କିନ୍ତୁ ବୟସ ନେଇ ବିବାଦ ହୋଇଥିଲା ଏବଂ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୨୦୧୪ରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଜିତନ ରାମ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସମ୍ରାଟ ଚୌଧୁରୀ ମାଝୀ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ। ମାଝୀଙ୍କ ପରେ ନୀତୀଶ ପୁଣି ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ କ୍ୟାବିନେଟ୍‌ରେ ସ୍ଥାନ ମିଳି ନ ଥିଲା। ୨୦୧୮ରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ରେ ନିତ୍ୟାନନ୍ଦ ରାୟ ପ୍ରଦେଶ ସଭାପତି ଥିବା ସମୟରେ ସମ୍ରାଟ ଉପସଭାପତି ହୋଇଥିଲେ। ବିଜେପିରେ ଯୋଗ ଦେବା ପରେ ପଞ୍ଚାୟତି ରାଜ ମନ୍ତ୍ରୀ ହୋଇଥିଲେ। ୨୦୨୦ରେ ବିଜେପି ଟିକେଟରେ ବିଧାନ ପରିଷଦକୁ ଯାଇଥିଲେ । ଅଗଷ୍ଟ ୨୦୨୨ରେ ନୀତୀଶ କୁମାର ବିଜେପି ଛାଡ଼ି ଆରଜେଡି ସହ ମହାଗଠବନ୍ଧନ ସରକାର ଗଠନ କରିବା ପରେ ସମ୍ରାଟ ବିଧାନ ପରିଷଦରେ ବିରୋଧୀ ଦଳର ନେତା ହୋଇଥିଲେ। ୨୦୨୩ରେ ବିଜେପିର ପ୍ରଦେଶ ସଭାପତି ହୋଇଥିଲେ। ନୀତୀଶ କୁମାର ପୁଣି ଏନଡିଏକୁ ଫେରିବା ପରେ ସମ୍ରାଟଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦ ଦିଆଗଲା। ୨୦୨୫ରେ ବିଧାନସଭା ନିର୍ବାଚନରେ ବିରୋଧୀ ଦଳଗୁଡ଼ିକର ସବୁଠୁ ଅଧିକ ଟାର୍ଗେଟ ସମ୍ରାଟ ଚୌଧୁରୀଙ୍କ ଉପରେ ଥିଲା। ଏନଡିଏ ଶାସନକୁ ଆସିବା ପରେ ପୁଣି ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୂର୍ବରୁ ବିଜେପିର ବିରୋଧୀ ଥିବା ସମ୍ରାଟ ୮ବର୍ଷ ଭିତରେ ଅନେକ ବଡ଼ ବିଜେପି ନେତାଙ୍କୁ ପଛରେ ଛାଡ଼ି ଦେଇଛନ୍ତି।

Latest Posts

Don't Miss