ମହାରାଷ୍ଟ୍ର ଭୂଷଣ ଆୱାର୍ଡ ସମାରୋହରେ ବଡ଼ ଅଘଟଣ, ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ର ନଭି ମୁମ୍ବାଇରେ ଆୟୋଜିତ ମହାରାଷ୍ଟ୍ର ଭୂଷଣ ଆଓ୍ବାର୍ଡ ସମାରୋହରେ ବଡ଼ ଅଘଟଣ। ଅଂଶୁଘାତରେ ୧୧ଜଣଙ୍କ ମୃତ୍ୟୁ। ୧୨୦ରୁ ଊର୍ଦ୍ଧ୍ବ ହୃଦଘାତର ଶିକାର ହୋଇଛନ୍ତି। ସମାରୋହରେ ଲକ୍ଷାଧିକ ଲୋକ ସାମିଲ ହୋଇଥିବା ବେଳେ ପ୍ରାୟ ୬ଶହ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି ।

ରବିବାର ଆୟୋଜିତ ଏହି ସମାରୋହରେ ବହୁ ସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ । ହେଲେ ଲୋକଙ୍କ ବସିବା ପାଇଁ ଟେଣ୍ଟ ବ୍ୟବସ୍ଥା କରାଯାଇ ନଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲୋକମାନେ ସହ୍ୟ କରିପାରିନଥିଲେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକମାନେ ୬ ଘଣ୍ଟା ଧରି ବସି ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଭଳି ଭିଭିଆଇପି ଯୋଗଦେଇଥିଲେ ବି ଲୋକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାନଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଓ ଏନସିପି ନେତା ଅଜିତ ପାୱାର ପ୍ରମୁଖ ହସ୍ପିଟାଲରେ ପହଞ୍ଚି ଚିକିତ୍ସାଧୀନ ଲୋକଙ୍କୁ ଭେଟିଛନ୍ତି । ସେପଟେ ମୃତକ ଓ ଆହତଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।