ରଥଯାତ୍ରା: ୧୮୦ ପ୍ଲାଟୁନ ପୋଲିସ ଫୋର୍ସଙ୍କ ସୁରକ୍ଷା ବଳୟରେ ରହିବ ପୁରୀ

ପୁରୀ: ଆସୁଛି ଶ୍ରୀଜିଉଙ୍କ ରଥଯାତ୍ରା । ଚଳଚଞ୍ଚଳ ରଥଖଳା । ତ୍ବରିତ ବେଗରେ ଚାଲିଛି ରଥକାମ । ସ୍ନାନଯାତ୍ରା ପରଠାରୁ ଅସୁସ୍ଥ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି । ଦେବ ବୈଦ୍ୟଙ୍କ ଔଷଧ ଲାଗି ପରେ ଜ୍ବର ଭଲ ହୋଇଛି । ଏପଟେ ଶ୍ରୀଜିଉଙ୍କ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ପାଇଁ ପୁରୀରେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଏସପି କନଓ୍ବର ବିଶାଳ ସିଂ ।

ସେ କହିଛନ୍ତି, ‘ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିର ସମେତ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ସିସିଟିଭି କ୍ୟାମେରା ଲଗାଯିବା କାମ ଚାଲିଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି, ସେବାୟତ ଓ ପୋଲିସ ପ୍ରଶାସନ ମଧ୍ୟରେ ସମନ୍ବୟ, ଭକ୍ତଙ୍କ ସୁରକ୍ଷା ଓ ସୁବିଧା, ଟ୍ରାଫିକ ନିୟନ୍ତ୍ରଣ, ଜନଗହଳି ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି।’

ଆଗକୁ ସେ କହିଛନ୍ତି, ‘ରଥଯାତ୍ରା ସମୟରେ ଆମ୍ବୁଲାନ୍ସ ଓ ଜରୁରୀକାଳୀନ ପରିସ୍ଥିତି ପାଇଁ ଗ୍ରୀନ୍ କରିଡୋର ସୃଷ୍ଟି କରାଯିବ । ରଥଯାତ୍ରା ପୂର୍ବଦିନ ଜନଗହଳି ହେଲେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଏହାକୁ ନିୟନ୍ତ୍ରଣ କରାଯିବ । ଶ୍ରୀଗୁଣ୍ଡିଚା ଦିନ ପହଣ୍ଡିଠାରୁ ଆରମ୍ଭ କରି ରଥଟଣା ଓ ରଥ ଲାଗିବା ପର୍ଯ୍ୟନ୍ତ ପ୍ରତ୍ୟେକଟି ବ୍ୟବସ୍ଥାକୁ ସୁରୁଖୁରୁରେ ଶେଷ କରିବା ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ଅଛି ।’

ରଥଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ସ୍ବତନ୍ତ୍ର ପ୍ଲାନ ହେବା ସହ ପାର୍କିଂ ସ୍ଥାନ ଗୁଡିକରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯେଭଳି ଶୋଷଣର ଶିକାର ନହେବେ ଏଥିପ୍ରତି ଗୁରୁତ୍ବ ଦିଆଯିବ । ବିଶେଷ କରି ପୁରୀ ସହରବାସୀ, ବୟସ୍କ, ଗର୍ଭବତୀ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରାଯାଇଥିବା ଏସପି କହିଛନ୍ତି ।