ଭୁବନେଶ୍ବର : ୨୦୨୬ ହେବ ସମ୍ଭାବନାର ବର୍ଷ । ୩ ପ୍ରମୁଖ ଦଳ ପାଇଁ ଚ୍ୟାଲେଂଜ ଅନେକ । କ୍ଷମତାକୁ ଫେରିବାକୁ ବିଜେଡିର ଲମ୍ବା ଅଭିଯାନ । ବିଜେପି ଓ କଂଗ୍ରେସକୁ ଘାରିଲା ସଂଗଠନ ଚିନ୍ତା । ଚବିଶରେ ଓଡିଶା ଶାସନର ପଟ୍ଟ ପରିବର୍ତ୍ତନ ହେଲା । ହେଲେ ଆଗକୁ ୨୦୨୬ରେ ରାଜ୍ୟରୁ ବିଜେପି ସରକାରକୁ କ୍ଷମତାଚ୍ୟୁତ କରିବାକୁ ଲମ୍ବା ଲଢେଇ ଆରମ୍ଭ କରିବ ମୁଖ୍ୟ ବିରୋଧୀ ବିଜେଡି । ଦଳର ୨୯ ତମ ପ୍ରତିଷ୍ଠା ଦିବସରେ ଦଳ ନେଇଥିବା ସଂକଳ୍ପକୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରି ତୃଣମୂଳସ୍ତରେ ସଂଗଠନକୁ ଅଧିକ କ୍ରୀୟାଶୀଳ କରିବ ବିଜେଡି । ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି ୨୦୨୬ ବିଜେଡି ପାଇଁ ବହୁ ଚ୍ୟାଲେଂଜର ବର୍ଷ ହେବ । ଦଳ ପୁଣି କେମିତି କ୍ଷମତାକୁ ଆସିବ ସେନେଇ କାମ ଆରମ୍ଭ କରିବ । ଲୋକଙ୍କ ସ୍ବର ସାଜି ସରକାରଙ୍କ ବିରୋଧରେ ଲଢେଇ ଜୋରଦାର କରିବାକୁ ଦଳ ଅଣ୍ଟା ଭିଡିଛି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ରାଜ୍ୟରେ ସବୁ କ୍ଷେତ୍ରରେ ଫେଲ ଆଉ ଫେଲ ସରକାର ଚାଲିଛି । ଓଡିଶାର ବିକାଶ ଓ ସ୍ବାର୍ଥ ପାଇଁ ବିଜେଡି ଲଢେଇ ଜାରି ରହିବ ।
୨୦୨୬ ବର୍ଷ ଆରମ୍ଭରୁ ଶାସକ ବିଜେପି ନିଗମ, ବୋର୍ଡ ଓ ଖାଲି ପଡିଥିବା ୬ଟି ମନ୍ତ୍ରୀପଦ କିପରି ପୂରଣ କରିବ ତାକୁ ନେଇ ଓଡିଶାରୁ ଦିଲ୍ଲୀଯାଏ କସରତ ଜାରି ରହିଛି । ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ଜାନୁୟାରୀ ମାସ ଭିତରେ ସରକାର ନିଗମ ଓ ମନ୍ତ୍ରୀପଦ ପୂରଣ କରିବେ । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି କଂଗ୍ରେସ ଏବେ ସଂଗଠିତ ହୋଇ କାମ କରୁଛି । ନେତୃତ୍ବ ନେଉଥିବା ନେତାମାନେ ଦଳକୁ ଯେଉଁ ଦିଗରେ ନେବେ ଦଳ ସେ ଦିଗକୁ ଯିବ । ବିଜେପି ସରକାର ମିଛୁଆ ସରକାର ବୋଲି ଦଳ ନୂଆବର୍ଷରୁ ଲଢେଇ ଜୋରଦାର କରିବ । ରାଜ୍ୟରେ ବିଜେପି ସରକାର ଆସିବାର ଦେଢବର୍ଷ ପରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସହ ମହିଳାମାନେ ଅସୁରକ୍ଷିତ ହୋଇପଡିଛନ୍ତି । ଚାଷୀ, ଯୁବକ ପ୍ରତାରଣାର ଶିକାର ହୋଇଥିବା ବେଳେ ବିଜେପି ନିର୍ବାଚନୀ ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛି । ଯାହାକୁ ନେଇ ୨୦୨୬ରେ ଅନେକ ଘଟଣା ଘଟିବାର ସଙ୍କେତ ଦେଇଛନ୍ତି ନେତା ।

