ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏବର୍ଷ ଜନଜାତିଙ୍କ ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୨୨୩ କୋଟି

1 min read

ଭୁବନେଶ୍ୱର: ସ୍ୱତନ୍ତ୍ର ବିକାଶ ପରିଷଦରେ ସାମିଲ ହେଲା ଆଉ ୧୪ ଜିଲ୍ଲା । ଆଦିବାସୀଙ୍କ କଳା, ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ନେଇ ସ୍ୱତନ୍ତ୍ର ବିକାଶ ପରିଷଦର ପରିସୀମା ୨୩ ଜିଲ୍ଲାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଆଜି ଭୁବନେଶ୍ୱରରେ ସ୍ୱତନ୍ତ୍ର ବିକାଶ ପରିଷଦର ବର୍ଣ୍ଣାଢ୍ୟ ଉତ୍ସବରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ରେ ପ୍ରଥମ ଥର ପାଇଁ ଅଭିନବ ଭାବେ ଆଦିବାସୀ ବହୁଳ ଜିଲ୍ଲାରେ ଆଦିବାସୀ ଭାଷା, ନୃତ୍ୟ, ସଂଗୀତ ଓ କଳାକାରଙ୍କୁ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ୯ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ସ୍ୱତନ୍ତ୍ର ବିକାଶ ପରିଷଦ । ପୂର୍ବରୁ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ବିକାଶ ପରିଷଦ କାର୍ଯ୍ୟ କରୁଥିବା ବେଳେ ଏବେ ଆଉ ୧୪ଟି ଜିଲ୍ଲାକୁ ଏସଡିସିରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଗୁଡିକ ହେଲା ବାଲେଶ୍ବର, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ବୌଦ୍ଧ ଓ ଗଂଜାମ । ମୋଟ ୨୩ ଜିଲ୍ଲାର ଆଦିବାସୀଙ୍କ ବିକାଶ ପାଇଁ ସରକାର ଆଙ୍କିଛନ୍ତି ନକ୍ସା । ଏନେଇ ମୁଖ୍ୟମନ୍ତ୍ରୀ ନିଜେ ଆଜି ସ୍ବତନ୍ତ୍ର ବିକାଶ ପରିଷଦ ବୈଠକରେ ବଡ଼ ଘୋଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଦେଶ । ଜଗନ୍ନାଥ ସଂସ୍କୃତି ସହ ଜନଜାତିର ସଂପୃକ୍ତି ରହିଛି । ବିକାଶର ପରିଭାଷାରେ କଳା ଓ ସଂସ୍କୃତିର ଭୂମିକା ସ୍ୱତନ୍ତ୍ର । ୨୦୧୮ରୁ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ କାମ କରୁଥିଲା । ଏବେ ଆଉ ୧୪ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦରେ ସାମିଲ ହେଲେ । ଆଦିବାସୀଙ୍କ ବିକାଶ ପାଇଁ ୨୨୩ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର । ୨୦୨୩-୨୪ରେ ୨୨୩ କୋଟି ଖର୍ଚ୍ଚ କରିବେ ସରକାର । ଏହା ଦ୍ୱାରା ୮୦ ଲକ୍ଷରୁ ଅଧିକ ଜନଜାତି ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।