ଭୁଷୁଡି ଗଲା ସ୍କୁଲହତା ପାଚେରୀ, ଘରେ କାନ୍ଥ ପଡି ୨ ଭଉଣୀ ମୃତ

ବାଲେଶ୍ବର/ବାରିପଦା: ପ୍ରବଳ ବର୍ଷା ଓ ପବନରେ ବାଲେଶ୍ବର ବାଲିଆପାଳରେ ଅଘଟଣ । ମଧୁପୁରା ଗାଁରେ ସେକ୍ ଅନସାରଙ୍କ ଭାଙ୍ଗିଲା ପାଚେରୀ । ପରିବାର ଲୋକ ଶୋଇଥିବା ବେଳେ ପାଚେରୀ ପଡି ୪ ବର୍ଷୀୟ ଶିଶୁ କନ୍ୟାର ମୃତ୍ୟୁ ହୋଇଛି । 2 ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି  ।

ସୂଚନା ଅନୁସାରେ ସ୍କୁଲ ହତାରେ ଥିବା ଏକ ଗଛ ଭାଙ୍ଗି ପାଚେରୀରେ ପଡ଼ିବାରୁ ପାଚେରୀ ଭାଙ୍ଗି ଯାଇଥିଲା । ଆହତଙ୍କୁ ଉଦ୍ଧାର କରି ପ୍ରଥମେ ବାଲିଆପାଳ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । କଟକ ସ୍ଥାନାନ୍ତର ବେଳେ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି ।

ସେହିପରି କାନ୍ଥ ପଡି ଗୋଟିଏ ପରିବାରର ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି  । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଲୁହାକାନି ପଞ୍ଚାୟତ ଭୋଳବେଡା ଗାଁରେ ଶୁକ୍ରବାର ରାତିରେ ପ୍ରବଳ ବର୍ଷା ପାଇଁ କାନ୍ଥ ପଡି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଅନୀଲ କୁମାର ଗିରିଙ୍କ ଦୁଇ ଝିଅ ୫ ବର୍ଷୀୟ ନିହାରିକା ଗିରି ଓ ୧୨ ବର୍ଷୀୟ ସୁଇଟି ଗିରି।

କାନ୍ଥ ଚାପି ଯିବା ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ପରିବାର ସଦ୍ୟସଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ନିହାରିକା ଓ ସୁଇଟିର ମୃତ୍ୟୁ ଘଟିସାରିଥିଲା। ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଗଭୀର ଶୋକବ୍ୟକ୍ତ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି ।

ଲଘୁଚାପ ବର୍ଷାରେ ଅଧିକ ପ୍ରଭାବିତ ହେଉଛି ଉତ୍ତର ଓଡ଼ିଶା । ଆଜି ବାଲେଶ୍ବର ଭଦ୍ରକ ସମେତ କେନ୍ଦୁଝର, ମୟୂରଭଞ୍ଜରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି ।