ଯୁବପିଢ଼ିଙ୍କ ପାଇଁ ଉଦାହରଣ ସାଜିଛନ୍ତି ୪ ବନ୍ଧୁ, ଅଜଣା ବ୍ୟକ୍ତିଙ୍କ ଶବ ସଂସ୍କାର ସାଙ୍ଗକୁ କରୁଛନ୍ତି ଅସ୍ଥି ବିସର୍ଜନ

ସୁନ୍ଦରଗଡ଼: କଥା ରେ ଅଛି ଯାହାର କେହି ନାହିଁ ଜଗତେ, ତାପାଇଁ ଅଛନ୍ତି ସ୍ୱୟଂ ସାଆନ୍ତେ। ଏ କଥାକୁ  ସତ୍ୟ ପ୍ରମାଣିତ କରିଛନ୍ତି ସୁନ୍ଦରଗଡର ୪ଜଣ ବନ୍ଧୁ। ଅଜଣା ଶବକୁ ଶ୍ମଶାନରେ ପୋଡିବା ସହ ହିନ୍ଦୁ ରୀତିନୀତି ଅନୁସାରେ ପ୍ରୟାଗରାଜ ତି୍ରବେଣୀ ସଙ୍ଗମରେ ଅସ୍ଥି ବିର୍ସଜନ କରାଉଛନ୍ତି। ଏଥିପାଇଁ ୪ ବନ୍ଧୁଙ୍କୁ ଶ୍ମଶାନ ବନ୍ଧୁର ଆକ୍ଷା ମିଳିଛି।

ଜଳୁଛି ଜୁଇ ନିଆଁ । ଆରପାରିରେ ପ୍ରିୟ ପରିଜନ । କିନ୍ତୁ ଅଜଣା ଶବ ପାଇଁ ଟୋପେ ଲୁହ ଝରାଇବାକୁ କେହି ନାହିଁ। ଆଉ ଯଦି କେହି ଅଛି ସମୟ ସ୍ରୋତରେ ସେମାନେ ଅସହାୟ। ମଶାଣୀ ଯାଏଁ କାନ୍ଧ ଦେବାକୁ କାହାର ସାହାସ ନାହିଁ । ହେଲେ ଏପରି ଅସମୟରେ ଅସହାୟ ଶବର ବନ୍ଧୁ ପାଲଟିଛନ୍ତି ସୁନ୍ଦରଗଡର କିଛି ଦରଦୀ ବନ୍ଧୁ । ଅଜଣା ମୃତଦେହ ଆଣି ପୋଡିବା ପରେ ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମରେ ବିସର୍ଜନ କରୁଛନ୍ତି ଏମାନେ। ୫୬ଟି ଅସ୍ଥି କଳସ ରଖି ତ୍ରିବେଣୀ ସଙ୍ଗମ କୂଳରେ ଚାଲିଛି ଅସ୍ଥି ବିର୍ସଜନ ପୂଜା। ବୈଦିକ ରୀତିନୀତିରେ ହେଉଛି ମନ୍ତ୍ର ଉଚ୍ଚାରଣ ।

ଅସ୍ଥିକୁ ବିର୍ସଜନ କରିବା ସହିତ ବୁଡ ପକାଇ ଦିବଙ୍ଗତ ଆତ୍ମାର ମୋକ୍ଷ ପ୍ରାପ୍ତି ପାଇଁ କାମନା କରିଛନ୍ତି ୪ ବନ୍ଧୁ। କେବଳ ତ୍ରିବେଣୀ ସଙ୍ଗମରେ ଅସ୍ଥି ବିର୍ସଜନ କଲେ ମୋକ୍ଷ ପ୍ରାପ୍ତି ହୁଏ ତାହା ନୁହେଁ, ରୀତିନୀତି ଅନୁସାରେ ଗୟାର ଫଲଗୁ ନଦୀରେ ବାଲୁକା ପିଣ୍ଡ ମଧ୍ୟ ପ୍ରଦାନ କରାଯାଇଥାଏ। ତାପାଇଁ ପ୍ରୟାଗରାଜରୁ ଆସି ଗୟାରେ ଫଲଗୁ ନଦୀ ତଟରେ ପିଣ୍ଡଦାନ ପାଇଁ ପୂଜାର୍ଚ୍ଚନା କରି ବାଲୁକା ପିଣ୍ଡ ପ୍ରଦାନ ହୋଇଛି ।

କରୋନା ସମୟରୁ ଏଭଳି ସେବା ଜାରି ରଖିଛନ୍ତି ଏହି ୪ ବନ୍ଧୁ । କରୋନା ତାର କାୟା ବିସ୍ତାର କରିଚାଲିଥାଏ । ପ୍ରତିଦିନ ୫ ରୁ ୧୦ କରୋନା ରୋଗୀ ଙ୍କ ମୃତୁ୍ୟ ହେଉଥାଏ । ରୋଗ ଭୟରେ ଆତ୍ମୀୟ ପରିଜନ ପାଖ ମାଡୁନଥାନ୍ତି । ପ୍ରଶାସନ ପାଇଁ ବି ଏତେ ସଂଖ୍ୟାରେ ମୃତଦେହ ଦାହ ସଂସ୍କାର କରିବା ମୁଣ୍ଡବ୍ୟଥା ପାଲଟିଥିଲା । ଆଉ ସେହି ସମୟରେ ଆଗେଇ ଆସିଥିଲେ ସୁନ୍ଦରଗଡ ସହରର ୪ ଶ୍ମଶାନ ବନ୍ଧୁ ସିଦ୍ଧାନ୍ତ ପଣ୍ଡା , ଶିଶିର ବେହେରା , ଚିନ୍ଟୁ ରକ୍ସା , ଦେବେନ୍ଦ୍ର ସାହୁ । ଦିନ ରାତି ଜୁଇ ଜଳୁଥାଏ  ତେବେ ଥକିନପଡି ଦିନ ରାତି ଶବଦାହ କରୁଥାନ୍ତି ଏହି ୪ ଶ୍ମଶାନ ବନ୍ଧୁ । ସେବେଠୁ ଆରମ୍ଭ ହୋଇଥିବା ଏହି ସେବା ବର୍ତ୍ତମାନ ଯାଏ ଚାଲିଛି। ହଜାରରୁ ଉର୍ଦ୍ଧ୍ବ ଶବ ଦାହ କରିବା ସହ ୨୦୦ ରୁ ଉର୍ଦ୍ଧ୍ବ ଅପରିଚିତଙ୍କ ଅସ୍ଥି ବିର୍ସଜନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସେବା ପାଇଁ ଶ୍ମଶାନ ବନ୍ଧୁର ପରିଚୟ ମଧ୍ୟ ମିଳିଛି ।