ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଅର୍ଣ୍ଣବ ମାଡ଼ରେ ଧରାଶାୟୀ ଧାନ ଫସଲ । ଅମଳ ପୂର୍ବରୁ ବିଲରେ ଲୋଟିଛି ପାଚିଲା ଧାନ । ଚାଷୀ ମୁଣ୍ଡରେ ଚଡ଼କ । ସୁବର୍ଣ୍ଣପୁର ଜିଲ୍ଲା ଏକ କୃଷିପ୍ରଧାନ ଅଞ୍ଚଳ । ଏଠାକାର ଅଧିକାଂଶ ଲୋକଙ୍କ ଜୀବିକା ଧାନ ଚାଷ ଉପରେ ନିର୍ଭରଶୀଳ । ଚଳିତ ବର୍ଷ ଚାଷୀ ଧାରକରଜ କରି ହେକ୍ଟର ହେକ୍ଟର ଜମିରେ ସୁନାର ଫସଲ ଫଳାଇଥିଲେ । ଆଉ କିଛି ଦିନ ପରେ ଅମଳ ହୋଇଥାନ୍ତା । ହେଲେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ଲଗାଣ ବର୍ଷା ଓ ପବନ ଚାଷୀଙ୍କ ଆଶା ଉପରେ ପାଣି ଢାଳି ଦେଇଛି । ବ୍ୟାପକ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି ।
ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର, ବିନିକା, ତରଭା, ବୀରମହାରାଜପୁର, ଉଲୁଣ୍ଡା, ଡୁଙ୍ଗୁରିପାଲି ବ୍ଲକରେ ବ୍ୟାପକ ଚାଷ କ୍ଷତିଗ୍ରସ୍ତ ହୋଇଛି । ଲଗାଣ ବର୍ଷା ଓ ପବନ ଯୋଗୁଁ ଧାନ ଗଛ ସବୁ ତଳେ ପଡ଼ିଯାଇଛି । କ୍ଷେତରେ ପାଣି ଜମି ରହିଥିବାରୁ ଧାନ ଗଜା ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି । ଅପରପକ୍ଷେ କ୍ଷୟକ୍ଷତିର ଆକଳନ ଚାଲିଛି । ଏହାପରେ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

