ବର୍ଷାରୁ ରକ୍ଷା ପାଇବାକୁ ଟ୍ରେନ୍ ବଗିତଳେ ଆଶ୍ରୟ ନେଇଥିଲେ, ବଗି ଗଡ଼ିଯିବାରୁ ଚକରେ କଟି ୬ଜଣଙ୍କ ମୃତ୍ୟୁ

1 min read

ଯାଜପୁର: କାଳହୋଇ ଆସିଥିଲା କାଳବୈଶାଖୀ । ଟ୍ରେନ ଟ୍ରାକରେ ଅପେକ୍ଷା କରିଥିଲା ମୃତ୍ୟୁ । ଆଶ୍ରୟ ନେବାକୁ ଯାଇ ମାଲବାହୀ ଟ୍ରେନ ଚକ ତଳେ ଶବ ପାଲଟିଗଲେ ଶ୍ରମିକ । ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଯାଜପୁର ରୋଡ୍ ରେଳ ଷ୍ଟେସନ ଚୂନଭାଟି ନିକଟରେ ଘଟିଛି ବଡ଼ ଅଘଟଣ । ମୃତକ ହେଲେ କୋରେଇ ବ୍ଲକ ବାଲିଆପାଳ ଗାଁର ଦୋଳଗୋବିନ୍ଦ ପ୍ରଧାନ, କାଠିଆ ଜେନା, ଭୀମସେନ ଜେନା । ସେହିପରି ଦୁଲଖାପାଟଣାର ଗୌତମ ସାମଲ ଓ ମାନସ ସାମଲଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ମୃତକଙ୍କ ପରିଚୟ ମିଳିପାରିନି ।

ସେହିପରି ଭଦ୍ରକ ଅଞ୍ଚଳର ଅମର ସାହୁ ଓ କେନ୍ଦୁଝର ଅଞ୍ଚଳର ନବଘନ ବାରିକ ଗୁରୁତର ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଅପରାହ୍ନରେ ୮ ଜଣ ଶ୍ରମିକ କାମ କରୁଥିବାବେଳେ ହଠାତ କାଳବୈଶାଖୀ ଆସିଥିଲା । ବର୍ଷାରୁ ରକ୍ଷା ପାଇବାକୁ ନିକଟରେ ଥୁଆ ହୋଇଥିବା ମାଲବାହୀ ବଗି ତଳକୁ ଚାଲିଯାଇଥିଲେ ଶ୍ରମିକ । ଏହି ସମୟରେ ପ୍ରବଳ ପବନ ହେବାରୁ ବଗିର ଚକା ମୁଭମେଣ୍ଟ କରିଥିଲା । ଆପେଆପେ ଗଡ଼ିଥିଲା ବଗି । ଫଳରେ ଘଟଣାସ୍ଥଳରେ ଚକାତଳେ ଆଶ୍ରୟ ନେଇଥିବା ୬ ଜଣଙ୍କର ମୃତ୍ୟ ହୋଇଥିଲା । ୨ ଗୁରୁତର ଏସସିବିରେ ଭର୍ତ୍ତି ହୋଇଛନ୍ତି ।

ପୂର୍ବତଟ ରେଳପଥ CPRO ବିଶ୍ବଜିତ ସାହୁ କହିଛନ୍ତି ଶ୍ରମିକମାନେ ଆଶ୍ରୟ ନେଇଥିବା ଟ୍ରେନଟି ମନସୁନ ରିଜର୍ଭ ରେକ । କାଳବୈଶାଖୀ କିମ୍ବା ବର୍ଷା ସମୟରେ ରେଳଧାରଣାର ମରାମତି ପାଇଁ ଏଥିରେ ଜିନିଷପତ୍ର ନିଆଯାଇଥାଏ । ଘଟଣାସ୍ଥଳରେ ରେଳଓ୍ବେର କାମରେ ଶ୍ରମିକମାନେ ନିୟୋଜିତ ହୋଇଥିଲେ । ବର୍ଷା ହେବାରୁ ଦୁର୍ଭାଗ୍ୟଜନକ ଭାବେ ବଗିତଳେ ଆଶ୍ରୟ ନେଇଥିଲେ । କାଳବୈଶାଖୀ ପବନରେ ରେକଟି ମୁଭମେଣ୍ଟ କରିଥିଲା । ଶ୍ରମିକମାନେ ଚକା ତଳେ ରହିଥିବାରୁ ହଠାତ ବାହାରିପାରିନଥିଲେ । ଫଳରେ ଏତେ ବଡ଼ ଅଘଟଣ ଘଟିଛି । ତେବେ କେଉଁ ପରିସ୍ଥିତିରେ ଚକା ଗଡ଼ିଲା ତାହାର ତଦନ୍ତ କରାଯିବ ।

ରେଳ ସୁରକ୍ଷା ଅଧିକାରୀ ଓ ଡିଆରଏମ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ସେପଟେ ଘଟଣାସ୍ଥଳରେ ଯାଜପୁର ଜିଲ୍ଲା ଏସପି ଓ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କାହାର ଦାୟିତ୍ବହୀନତା ପାଇଁ ଏତେ ବଡ଼ ଅଘଟଣ ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ପ୍ରଶ୍ନ ଉଠୁଛି କାଳବୈଶାଖୀ ବର୍ଷାରେ କେମିତି ଗଡ଼ିଗଲା ବଗି ? ବଗିଟିକୁ ଦୁର୍ବଳ ଅବସ୍ଥାରେ ସେଠାରେ ରଖାଯାଇଥିଲା କି ? ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖରେ ବାଲେଶ୍ୱର ବାହାନଗାଠାରେ ବଡ଼ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏଥିରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ମୃତ୍ୟୁ ବରଣ କରିଥିଲେ ।