ବରଗଡରେ ସ୍କ୍ରବ ଟାଇଫସରେ ପ୍ରାଣ ହରାଇଲେଣି ୫, ସୁନ୍ଦରଗଡରୁ ଜଣେ

ବରଗଡ: ଓଡିଶାରେ ମାଡି ଚାଲିଛି ସ୍କ୍ରବ ଟାଇଫସ  । ବରଗଡ ଜିଲ୍ଲାରେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ୫ ଜଣ ପ୍ରାଣ ହରାଇଲେଣି  । ଆହୁରି ୪ ଜଣ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି  । ମୃତକଙ୍କ ମଧ୍ୟରେ ଦୁଇ ଜଣ ସୋହେଲା ବ୍ଲକର ହୋଇଥିବାବେଳେ ଜଣେ ଲେଖାଏଁ ଅତାବିରା, ଭେଡେନ ଓ ବରପାଲି ବ୍ଲକର ଅଛନ୍ତି  ।

ଗତ ଅଗଷ୍ଟରେ ବରଗଡ ଜିଲ୍ଲାରେ ୧୬୮ଟି ନମୁନା ପରୀକ୍ଷା ହୋଇଥିବାବେଳେ ଜଣଙ୍କ ଠାରେ ସଂକ୍ରମଣ ଚିହ୍ନଟ ହୋଇଥିଲା  । ସେହିପରି ସେପ୍ଟେମ୍ବରରେ ୧୪୨ ଟି ନମୁନାରୁ ତିନୋଟିରେ ସ୍କ୍ରବ ଟାଇଫସ ଥିବା ଜଣାପଡିଛି  ।

ସ୍କ୍ରବ ଟାଇଫସ ଓ ଲେପଟୋ ସ୍ପାଇରୋସିସରୁ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଚିଠି ଜରିଆରେ ମାର୍ଗଦର୍ଶିକା ଜାରି କରାଯାଇଛି। କେସ୍ ବଢୁଥିବାରୁ ସମସ୍ତ ଡିପିଏଚଏଲରେ ଟେଷ୍ଟ ଓ ପର୍ଯ୍ୟାପ୍ତ ଟେଷ୍ଟିଂ କିଟ୍ ମହାଜୁଦ ରଖିବାକୁ ସବୁ ସରକାରୀ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗ ନେଇ ପ୍ରଥମେ ଡାକ୍ତରଙ୍କୁ ସଚେତନ କରାଯିବ। ଏହାଦ୍ବାରା ସେମାନେ ରୋଗକୁ ଶୀଘ୍ର ଚିହ୍ନଟ କରିବା ସହ ଲୋକଙ୍କୁ ସଚେତନ କରିପାରିବେ। ରୋଗୀ ଚିହ୍ନଟ ପାଇଁ ସର୍ଭେଲାନ୍ସ ବି ବଢାଯିବ। ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟିବାୟୋଟିକ୍ ମହଜୁଦ ରଖିବା ଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ମୃତ୍ୟୁର ସଠିକ ତଦନ୍ତ କରି ଷ୍ଟେଟ ସର୍ଭେଲାନସ ୟୁନିଟକୁ ରିପୋର୍ଟ ଦିଆଯିବା ବାଧ୍ୟତାମୂଳକ କରାଯାଇଛି  ।

ବରଗଡ଼ ଭଳି ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବ୍ୟାପିଲଣି ସ୍କ୍ରବ ଟାଇଫସ୍ । ସୁନ୍ଦରଗଡ ଜିଲ୍ଲାରେ ଜାନୁ୍ୟାରୀ ମାସରୁ ଏଯାଏ ୧୩୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।