ଅଭାବୀ ପରିବାର ପାଇଁ ଦେବଦୂତ ସାଜିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

ଭୁବନେଶ୍ୱର : ଅଭାବୀ ପରିବାର ପାଖରେ ଦେବଦୂତ ସାଜିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଖବର ଶୁଣିବା ମାତ୍ରେ ତୁରନ୍ତ ସମାଧାନ କଲେ । କୁଆଁ କୁଆଁ ରାହା ଧରି ଦୁନିଆକୁ ଆସିଲା । ମାଆ କୋଳର ସ୍ପର୍ଶ ପାଇବା ପୂର୍ବରୁ ଏତେ ୟନ୍ତ୍ରଣା ପାଇବ ଭାବି ନଥିଲା । ମାଆର ପଣତ ନସିବ ହେଲାନି । ହସ୍ପିଟାଲ ବିଛଣାରେ ୯ ଦିନ ଧରି ପଡିରହିଲା । ସନ୍ତାନର କଷ୍ଟକୁ ଦେଖି ଭାଙ୍ଗିପଡିଥିଲା ପରିବାର । ନିଜ ଭାଗ୍ୟକୁ ନିନ୍ଦି, ଆଖିରୁ ଲୁହ ଗଡାଇ ଦିନ କାଟୁଥିଲେ ବାପା ମାଆ । ହେଲେ ଅଭାବୀ ପରିବାର ପାଖରେ ଦେବଦୂତ ଭଳି ଉଭାହେଲେ ବିଜେଡିର ବରିଷ୍ଠ ନେତା ତଥା ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏବେ ନିର୍ବାଚନର ବ୍ୟସ୍ତ ବହୁଳ ସିଡ୍ଯୁଲ ମଧ୍ଯରେ ବି ନିଷ୍ପାପ ଶିଶୁର ଦାୟିତ୍ବ ନେଲେ । ଶୀଘ୍ର ଚିକିତ୍ସା କରାଇବାକୁ ବ୍ୟବସ୍ଥା କରାଇଲେ  । ଏ କାହାଣୀ ଏକ ଗରିବ ପରିବାରର ।  ଗର୍ଭ ଯନ୍ତ୍ରଣା ହେବାରୁ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବେଗୁନିଆ ଅଞ୍ଚଳର ଭାରତୀ ନାୟକ । ଶିଶୁଟି ଜନ୍ମ ଦେବା ପରେ ବିଭିନ୍ନ ସମସ୍ୟା ଥିବା ଜାଣିବାକୁ ପାଇଥିଲେ । ସେଠାରୁ ସଙ୍ଗେ ସଙ୍ଗେ ଉଭୟ ମାଆ ଓ ଶିଶୁକୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ମଧ୍ୟ ନିରାଶ ଖବର ଶୁଣିବାକୁ ପଡିଥିଲା । ଶିଶୁଟିର ହୃଦୟରେ ସମସ୍ୟା ଥିବାରୁ ବଡ଼ ହସ୍ପିଟାଲକୁ ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ଖଟିଖିଆ ପରିବାର ପାଇଁ ଏହା ସମ୍ଭବ ହୋଇପାରିନଥିଲା ।

ଶେଷରେ ନିରୁପାୟ ହୋଇ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବଦେନ କରିଥିଲେ ଅସହାୟ ବାପା, ମାଆ । ଏ ଖବର ପାଇବା ମାତ୍ରେ ସଙ୍ଗେ ସଙ୍ଗେ ଶିଶୁଟିର ଚିକିତ୍ସା ପାଇଁ ଆଗେଇ ଆସିଥିଲେ କାର୍ତ୍ତିକ ପାଣ୍ଡିଆନ । ପରିବାର ସହ ଆଲୋଚନା କରିଥିଲେ ଏହା ପରେ ଡାକ୍ତରଙ୍କ ସହ କଥାବାର୍ତ୍ତା କରିଥିଲେ । ପରେ ଶିଶୁଟିକୁ କ୍ୟାପିଟାଲ ହସ୍ପିଟାଲରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୁଅର ଜୀବନ ବଞ୍ଚିଯିବା ଆଶରେ ଏବେ ମାଆ, ବାପାଙ୍କ ମୁହଁରେ ଫୁଟିଛି ହସ । ହୃଦୟରୁ ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କୁ ଜଣାଇଛନ୍ତି ଧନ୍ୟବାଦ । ମଣିଷ ପଣିଆର ସବୁଠୁ ବଡ ଉଦାହରଣ ଏହି ଘଟଣା । ଜଣେ ଅଭାବୀ ମଣିଷର ସହାୟତା କରି କୋଟି କୋଟି ଜନତାଙ୍କ ହୃଦୟ ଜିତିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଏହି ଗୋଟିଏ ଘଟଣା ନୁହଁ ପୂର୍ବରୁ ମଧ୍ୟ ଅନେକ ଗରିବ ପରିବାରକୁ ସହାୟତା କରି ସେ ସାଉଁଟିଛନ୍ତି ପ୍ରଶଂସା ।