ନନ୍ଦିଘୋଷ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ଆଶ୍ରମ ସ୍କୁଲ ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେଡ଼ି । ବିଜେପି ସରକାରଙ୍କ ପାଇଁ କଳଙ୍କିତ ଜଗନ୍ନାଥଙ୍କ ମାଟି ଓଡ଼ିଶା । ମୁଖ୍ୟମନ୍ତ୍ରୀ ଯଦି ପ୍ରକୃତରେ ଆଦିବାସୀ ହୋଇଥାନ୍ତି ତେବେ ମୟୂରଭଞ୍ଜ ଜିଲ୍ଲା ଆଶ୍ରମ ସ୍କୁଲ ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛି ବିଜେଡି ।
ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଣି ଓ ପୂର୍ବତନ ବାଚସ୍ପତି ସାଲୁଗା ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପରେ ବର୍ଷିଛନ୍ତି । ଏନେଇ ବିଜେଡ଼ି କହିଛି ଯେ, ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହେଲାପରେ ଯେଉଁ ଆଶା ଥିଲା ତାହା ଅଢ଼େଇ ବର୍ଷ ଭିତରେ ଧୂଳିସାତ୍ ହୋଇଛି । ପ୍ରତ୍ୟେକ ଦିନ ଆଦିବାସୀ ବିଦ୍ୟାଳୟରେ ଝିଅଙ୍କ ସହ ଅତ୍ୟାଚାର ହେଉଛି । ଦୁଷ୍କର୍ମ ହେଉଛି ସେମାନେ ଗର୍ଭବତୀ ହେଉଛନ୍ତି । ଦୁଇ ଦିନ ତଳେ ଏକ ଲଜ୍ଜାଜନକ ଘଟଣା ଓଡ଼ିଶାବାସୀଙ୍କ ମୁଣ୍ଡ ତଳକୁ କରି ଦେଇଛି । ହଷ୍ଟେଲରେ ରହି ପଢୁଥିବା ବେଳେ ବେଳେ ପ୍ରଧାନଶିକ୍ଷକ ଓ ହଷ୍ଟେଲ ସୁପରିଟେଣ୍ଡେଣ୍ଟ କେମିତି ଏ ଘଟଣା ବାବଦରେ ଜାଣି ପାରିଲେ ନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି । ସବୁ ଆଦିବାସୀ ଛାତ୍ରାବାସରେ ଏହା ଦୈନନ୍ଦିନ ଘଟଣା ପାଲଟିଛି। ବିଭାଗର ମନ୍ତ୍ରୀ ଜଣେ ଆଦିବାସୀ ।
ତଥାପି ପିଲାଙ୍କର ଖାଇବା ପିଇବା, ରହିବା ଠିକ୍ ବ୍ୟବସ୍ଥା ନାହିଁ । ପିଲାଙ୍କୁ ହଷ୍ଟେଲରେ ରଖି ଭଲ ପାଠ ପଢ଼ାଇବା ସ୍ୱପ୍ନ ଧୂଳିସାତ୍ ହୋଇଛି । ଜଗନ୍ନାଥ ମାଟିରେ କଳଙ୍କ ଲଗାଇଛି ବିଜେପି ସରକାର। ଘଟଣାର ସମସ୍ତ ସମ୍ପୃକ୍ତିକୁ ଚାକିରିରୁ ବହିଷ୍କାର ଦାବି କରିଛି ଦଳ। ମୁଖ୍ୟମନ୍ତ୍ରୀ ପ୍ରକୃତରେ ଆଦିବାସୀ ହୋଇଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଦଳ ଦାବି କରିଛି।

