ମହାରାଷ୍ଟ୍ର ପୋଲିସ ଉପରେ କରୋନା ଆକ୍ରମଣ, ୬୪ ପୋଲିସ କର୍ମଚାରୀ କୋଭିଡ୍-୧୯ ପଜିଟିଭ୍

ମୁମ୍ବାଇ : ଦେଶର କୋରନା ଦ୍ୱାରା ଅଧିକ  ପ୍ରଭାବିତ ହୋଇଛି ମହାରାଷ୍ଟ୍ର । କରୋନାଭାଇରସ୍ ପାଇଁ ଲକଡାଉନ ଲାଗୁହୋଇଥିବା ବେଳେ  ଲକଡ଼ାଉନକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ  ପ୍ରଶାସନ ଅହରହ ପ୍ରୟାସ କରୁଛି । କରୋନା ବିରୋଧୀ ଲଢେଇରେ ଆଗଧାଡିରେ ଛିଡା ହୋଇଥିବା ଯୋଦ୍ଧା ଏବେ ଏହାର ଶିକାର ହେଉଛନ୍ତି ।  ପ୍ରଥମେ ଡାକ୍ତର ପରେ ନର୍ସ ଏବେ ଦେଶର ସୁରକ୍ଷା ପାଇଁ ଦିନରାତି ଜଗି ରହୁଥିବା ପୋଲିସ୍ ମଧ୍ୟ ଏଥିରୁ ବର୍ତ୍ତି ନହାଁନ୍ତି ।

ଦିନରାତି ଡ୍ୟୁଟିରେ ୬୪ ଜଣ ପୋଲିସ୍, କରୋନା ପଜିଟିଭ୍ ଥିବା ଖବର ଆସିଛି । ଏଥିରେ ୧୨ ଜଣ ଅଧିକାରୀ ଥିବାବେଳେ ୫୨ ଜଣ କନଷ୍ଟେବଳ ଅଛନ୍ତି । ସେଥିମଧ୍ୟରୁ ୩୪ଜଣ ପୋଲିସ ମୁମ୍ବାଇରୁ ଆସିଛନ୍ତି ଯେଉଁଠାରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁମ୍ବାଇସ୍ଥିତ ସରକାରୀ ବାସଭବନରେ କାର୍ଯ୍ୟ କରୁଥିବା ମହିଳା ପୋଲିସ୍ କରୋନା ପଜିଟିଭ୍ ବୋଲି ଜଣାପଡିଛି ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ମହିଳା ଏଏସଆଇ କରୋନା ସଂକ୍ରମିତ ହେବା ପରେ ଏଠାରେ ଥିବା ଆଉ ୬ଜଣ ପୋଲିସ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଅଧିକାରୀଙ୍କ କହିବାନୁସାରେ, ମାଲାବାର ହିଲରେ ଥିବା ସିଏମଙ୍କ ସରକାରୀ ବାସଭବନ ‘ବର୍ଷା’ରେ ଦୁଇ ଦିନ ପୂର୍ବରୁ ଜଣେ ସହକାରୀ ପୋଲିସ ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲା କରୋନା

ଯେତେବେଳେ ସେମାନଙ୍କର କରୋନା ନମୁନା ନିଆଗଲା, ସେତେବେଳେ ଏଏସଆଇ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନ ‘ମାତୋଶ୍ରୀ’ରେ ରହୁଛନ୍ତି  ଏବଂ ବେଳେବେଳେ ସରକାରୀ କାର୍ଯ୍ୟ ହେତୁ ସେ ‘ବର୍ଷା’କୁ ଆସନ୍ତି । ଅନ୍ୟପଟେ ମୁମ୍ବାଇରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ମୁମ୍ବାଇରେ କରୋନା ରୋଗୀଙ୍କ ସଂଖ୍ୟା ୩ ହଜାର ପାର

ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି । ସମଗ୍ର ଦେଶରେ କରୋନାର ସର୍ବାଧିକ ମାମଲା ମୁମ୍ବାଇରୁ ଆସିଛି। ଏପ୍ରିଲ୍ ୯ରୁ ଏପ୍ରିଲ୍ ୨୦ ମଧ୍ୟରେ ଏଠାରେ ରେଡ୍ ଜୋନ୍ ଅଞ୍ଚଳ ସଂଖ୍ୟା ୧୧୩ ପ୍ରତିଶତ ବୃଦ୍ଧି ପାଇ ସଂଖ୍ୟା ୩୮୧ ରୁ ୮୧୩କୁ ବୃଦ୍ଧି ପାଇଛି।

ମହାରାଷ୍ଟ୍ରରେ କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୨୦୦ରୁ ଅଧିକ ହୋଇଛି । ଏଥି ସହିତ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୯ହଜାର ୯୦୦ଅତିକ୍ରମ କରିଛି।

Leave a Reply