ବାପା-ମାଆଙ୍କୁ ଛଡ଼ାଇନେଲା କରୋନା, ୮ ବର୍ଷର ଝିଅ ସମ୍ଭାଳୁଛି ଦେଢ଼ ମାସର ଭାଇକୁ

1 min read

ବାଲେଶ୍ୱର: କୁନି କାନ୍ଧରେ ବଡ ଦାୟିତ୍ବ । ୧୫ ଦିନରେ ବାପାମାଆଙ୍କୁ ଛଡାଇ ନେଇଛି କରୋନା । ଏବେ ୮ ବର୍ଷର ଝିଅ ଉପରେ ଦେଢ଼ ମାସର ଭାଇର ଦାୟିତ୍ବ । ବାଲେଶ୍ବର ଜିଲ୍ଲା ଭୋଗରାଇ ନିମାତପୁର ଗାଁର କ୍ରିଷ୍ଣା ସାନଭାଇର ଦାୟିତ୍ବ ନେବାକୁ ମାତ୍ର ୧୫ ଦିନରେ ପ୍ରସ୍ତୁତ ହୋଇଯାଇଛି । ସାନ ଭାଇକୁ ବଡ କରିବାକୁ କୁନି ବୟସରେ ସେ ଦେଖିଛି ଅସୁମାରୀ ସ୍ବପ୍ନ । ତୁନି ହଅ, ଆଉ କାନ୍ଦନା, ତୋ ଲୁହ ପୋଛିବାକୁ ପରା ମୁଁ ଅଛି । ତୋ ଅଳି ଶୁଣିବି, ତତେ ଗେଲ କରି ଖୁଆଇଦେବି, ଅବୁଝା ହେଲେ ଦୋଳିରେ ଝୁଲେଇ ଦେବି । ବାପା ମାଆ ସିନା ପର କରି ଚାଲିଗଲେ, ହେଲେ ମୁଁ ତତେ ସ୍ନେହ ମମତା ଦେବାରେ କେବେ ଉଣା କରିବିନି ।

ଦେଢ ମାସର କୁନି ଭାଇକୁ ଏମିତି ତୁନି କରୁଛି ଭଉଣୀ। ବାପା ମାଆଙ୍କୁ ଛଡ଼ାଇ ନେଇଛି କରୋନା । ଆଉ ସାନ ଭାଇ ପାଇଁ ଏବେ ମାଆ ହେଇଯାଇଛି ୮ବର୍ଷର ଭଉଣୀ। ଦୁନିଆ ଦେଖିବା ଆଗରୁ ଦୁଃଖକୁ ଅଙ୍ଗେ ନିଭାଉଛି। ଜୀବନ କଣ ଜାଣିବା ପୂର୍ବରୁ ମୃତ୍ୟୁର ଯାତନା ଭୋଗୁଛି । ବାଲେଶ୍ବର ଭୋଗରାଇ ନିମାତପୁର ଗାଁର ଏ କାହାଣୀ ଆପଣଙ୍କୁ କନ୍ଦାଇଦେବ। ୧୫ଟା ଦିନରେ କୁନି ଝିଅ କ୍ରିଷ୍ଣା ବଡ଼ ହେଇଯାଇଛି । ବାପା-ମାଆଙ୍କୁ ଛଡାଇନେଲା ମହାମାରୀ। ଏବେ କ୍ରିଷ୍ଣା କୋଳରେ କୁନି ଭାଇ। ଜୀବନ କଣ ଜାଣିବା ଆଗରୁ ଭାଇ ପାଇଁ କୁନି ଆଖିରେ ଆଖିଏ ସ୍ବପ୍ନ ।.

ବାପା ମାଆ ଉଭୟ ଥିଲେ କରୋନା ଯୋଦ୍ଧା। ମାଆ ସ୍ମିତା ପଣ୍ଡା ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ନର୍ସ ଥିଲେ। ବାପା କମଳେଶ ରେଳବାଇରେ କାମ କରୁଥିଲେ। ନୂଆ ଅତିଥି ଅପେକ୍ଷାରେ ପୂରା ପରିବାରରେ ଉତ୍ସାହ ଥିଲା। ହେଲେ କାଳ ହୋଇ ଆସିଥିଲା କରୋନା । ପ୍ରସବର କିଛି ଦିନ ପୂର୍ବରୁ ସ୍ମିତା କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ପୁଅ ଜନ୍ମ ହୋଇଥିଲା। ଆଉ ୭ଦିନ ପରେ ଜୀବନ ଯୁଦ୍ଧରେ ହାରିଗଲେ ସ୍ମିତା। କମଳେଶ ବି ମାତ୍ର ୧୪ ଦିନ ପରେ ଆଖି ବୁଜିଲେ ।

 

Leave a Reply