ମହାରାଷ୍ଟ୍ରରେ ଚାଞ୍ଚଲ୍ୟ, ଗୋଟିଏ ପରିବାରର ୯ଜଣଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ: ମହାରାଷ୍ଟ୍ର ସାଙ୍ଗଲିରେ ଏକ ହୃଦୟ ବିଦାରକ ଘଟଣଆ ଘଟିଛି  । ଗୋଟିଏ ପରିବାରର ୯ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଭାଇଙ୍କ ପରିବାରର ସମସ୍ତ ସଦସ୍ୟ ଏକାଠି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି  ।

ତେବେ ଏହା ଏକ ସାମୂହିକ ଆତ୍ମହତ୍ୟା ନା ସମସ୍ତ ୯ଜଣଙ୍କୁ ହତ୍ୟା କରାଯାଇଛି ପୋଲିସ ତାହା ଛାନଭିନ ଚାଲିଛି । ପ୍ରାଥମିକ ସୂଚନାନୁଯାୟୀ ସାଙ୍ଗଲିର ମିରଜ ଅଞ୍ଚଳରେ ରହୁଥିବା ଦୁଇ ଭାଇଙ୍କ ଏକାଠି ପରିବାର ସାମୂହିକ ଆତ୍ମହତ୍ୟା କରିଛନ୍ତି  । ଦୁଇଟି ଭିନ୍ନ ଭିନ୍ନ କୋଠରୀରୁ ସମସ୍ତ ୯ଜଣଙ୍କ ଶବ ଠାବ ହୋଇଛି  । ବିଷାକ୍ତ ଦ୍ରବ୍ୟ ଖାଇ ସମସ୍ତ ସଦସ୍ୟ ମୃତ୍ୟୁବରଣ କରିଥିବା କଥା କୁହାଯାଇଛି  ।

ମାଣିକ ବନମୋରେ ଏବଂ ପୋପଟ ବନମୋରେ ନାମକ ଦୁଇ ଭାଇଙ୍କ ସମ୍ପୂର୍ଣ୍ଣ ପରିବାରର ଏହି ସମସ୍ତ ଶବ ବୋଲି ଜଣା ପଡିଛି  । ଘଟଣା ସ୍ଥଳରେ ସାଙ୍ଗଲି ପୋଲିସ ଉପସ୍ଥିତ ରହିଛି । ତଦନ୍ତରେ ବର୍ତ୍ତମାନ ସୁଦ୍ଧା କୌଣସି ବି ମୃତ ଶରୀରରେ କ୍ଷତ ଚିହ୍ନ ମିଳିନାହିଁ  । ଅନୁମାନ କରାଯାଉଛି ଦୁଇ ପରିବାର କରଜରେ ବୁଡିରହିଥିଲେ ଏବଂ ଏହି କାରଣରୁ ସାମୂହିକ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ମଧ୍ୟ ମିଳିନାହିଁ  । ଗୋଟିଏ ଘରୁ ତିନି ଜଣଙ୍କ ଶବ ମିଳିଥିବା ବେଳେ ଅନ୍ୟ ଏକ ଘରୁ ୬ଜଣଙ୍କ ଶବ ମିଳିଛି  । ତେବେ ମୃତ୍ୟୁର ପ୍ରକୃତ କାରଣ କଣ ତାହା ଶବବ୍ୟବଚ୍ଛେଦ ରିପୋର୍ପଟ ଆସିବା ପରେ ସ୍ପଷ୍ଟ ହେବ  ।