spot_img

Latest Posts

ଦୁଷ୍ମନ୍ତଙ୍କୁ ବିଜେପି ନେତା ଆତ୍ମହତ୍ୟା ପାଇଁ ଉସୁକାଇଥିବା କହିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଗତକାଲି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ନେଇ ଉଠିଛି ପ୍ରଶ୍ନ। ଦୁଷ୍ମନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଗାଁ ଲୋକେ। ଦୁଷ୍ମନ୍ତ ଚାଲି ପାରୁନଥିଲେ, ସେ ଭୁବନେଶ୍ୱର ଗଲେ କେମିତି ? ତାଙ୍କ ନିକଟକୁ ବିଷ ଆସିଲା କିପରି ? କିଏ ତାଙ୍କୁ ଏଭଳି ପଦକ୍ଷେପ ନେବାକୁ ଉସକାଇଥିଲେ ? ଏହି ବିବାଦରେ ବିରୋଧୀ ଦଳକୁ ଦାୟୀ କରିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଦୁଷ୍ମନ୍ତଙ୍କ ଚିକିତ୍ସା ଚାଲିଥିବାବେଳେ ବିଜେପି ଦଳର ନେତାମାନେ ତାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ସେ ଅଭିଯୋଗ କରିଛନ୍ତି।

ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଏବେ ଗାଁରେ ଶୋକାକୁଳ ପରିବେଶ। ଦୁଇବର୍ଷ ତଳେ ଦୁର୍ଘଟଣାର ଶିକାର ହୋଇ ଗୋଡରେ ଗଭୀର ଆଘାତ ଲାଗିଥିଲା ଦୁଷ୍ମନ୍ତଙ୍କର। ଦୁଷ୍ମନ୍ତ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରିଥିଲା। ମାତ୍ର ବୁଧବାର ସେ ବିଧାନସଭା ସମ୍ମୁଖକୁ ଯାଇ ହାତ କାଟିବା ସହିତ ବିଷ ପିଇ ଦେଇଥିଲେ। ପ୍ରଥମେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ନିଆଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇ ପୁରୀ ସ୍ୱର୍ଗଦ୍ଵାରରେ ସଂସ୍କାର କାର୍ଯ୍ୟ ସରିଛି। ପରିବାର ସଦସ୍ୟ ଏବେ ସୁଦ୍ଧା ଗାଁକୁ ଫେରି ନଥିବା ବେଳେ ବ୍ଲକ ପ୍ରଶାସନ ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। କେଉଁ ପରିସ୍ଥିତିରେ ଦୁଷ୍ମନ୍ତ ଭୁବନେଶ୍ୱର ଗଲେ ଏହାର ତଦନ୍ତ ଦାବି କରିଛନ୍ତି ଦୁଷ୍ମନ୍ତଙ୍କ ବାପା ଓ ଗ୍ରାମବାସୀ।

ସେପଟେ ଦୁର୍ଘଟଣାର ଶିକାର ଦୁଷ୍ମନ୍ତ ଦାସଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ସହୟତା ଯୋଗାଇଥିଲା ବୋଲି ସୂଚନା ମିଳିଛି। ଗତ ଅଗଷ୍ଟ ୧୨ ତାରିଖରେ ଜିଲ୍ଲାପାଳଙ୍କ ଉଦ୍ୟମରେ ରେଡକ୍ରସ ପାଣ୍ଠିରୁ ଦୁଷ୍ମନ୍ତଙ୍କୁ ୫ହଜାର ଟଙ୍କାର ସହାୟତା ଯୋଗାଇଦିଆଯାଇଥିଲା। ସେହିଭଳି ପ୍ଲାଷ୍ଟିକ ସର୍ଜରୀ ପାଇଁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ୫୦ ହଜାର ଟଙ୍କାର ସହାୟତା ଦିଆଯାଇଥିଲା। ଚିକିତ୍ସା ପାଇଁ ଦୁଷ୍ମନ୍ତ ବାରମ୍ବାର ସରକାରଙ୍କୁ ଅନୁରୋଧ କରୁଥିଲେ। ସରକାର ମଧ୍ୟ ତାଙ୍କୁ ଆବଶ୍ୟକ ଆର୍ଥିକ ସହୟତା ସାଙ୍ଗକୁ ଚିକିତ୍ସା ସୁବିଧା ଯୋଗାଇଦେଇଛନ୍ତି। ଗୋଟେ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମଧ୍ୟ ତାଙ୍କର ଚିକିତ୍ସା କରାଯାଇଥିଲା।

ସେହିପରି ଏସସିବିରେ ଭର୍ତ୍ତି ହୋଇଥିବା ଦୁଷ୍ମନ୍ତ ଦାସଙ୍କ ଅସ୍ତ୍ରୋପଚାର ଓ ଚିକିତ୍ସା ପାଇଁ ଡାକ୍ତର ମାନେ ସମସ୍ତ ଉଦ୍ୟମ କରିଥିଲେ। ମେଡିକାଲରେ ତିନି ମାସ ରହିବା ପରେ ତାଙ୍କୁ ଫିଜିଓଥେରାପି କରିବାକୁ ପରାମର୍ଶ ଦିଆଯାଇଥିଲା। ଏହା ଏକ ଦୁର୍ଘଟଣା ଜନିତ କ୍ରସ୍ ଇନଜୁରି ହୋଇଥିବାରୁ ଗୋଡ ସ୍ୱାଭାବିକ ହେବାକୁ ସମୟ ଲାଗିବ ବୋଲି କହିଥିଲେ ଡାକ୍ତର। ସମସ୍ତ ଚିକିତ୍ସା ମାଗଣାରେ କରାଯାଉଥିଲା। ଗତ ୬ ତାରିଖରେ ଏମ୍ସ ଯିବା ପାଇଁ ଇଛା ପ୍ରକାଶ କରିଥିଲେ ଦୁଷ୍ମନ୍ତ। ତେଣୁ ତାଙ୍କ ଚିକିତ୍ସାରେ କିଛି ବି ଅବହେଳା କରାଯାଇନଥିବା ଏସସିବି ପକ୍ଷରୁ କୁହାଯାଇଛି।

Latest Posts

Don't Miss