ଜଳବାୟୁରେ ପରିବର୍ତ୍ତନ, ଚଳିତ ବର୍ଷ ଭୁବନେଶ୍ବର ହେବ ଉତ୍ତପ୍ତ ସହର!

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନର ବଡ ପ୍ରଭାବ । ବସନ୍ତରେ ଆଉ ବହୁନି ମଳୟ ପବନ। ଧିରେ ଧିରେ ଉତ୍ତପ୍ତ ହେଉଛି ପଶ୍ଚିମ ଓଡିଶା । ଉପକୂଳ ଓଡିଶାରେ ବି ସ୍ଥିତି ସଙ୍ଗୀନ ହେବାକୁ ଯାଉଛି। ସ୍ବାଭାବିକ ଠାରୁ ୬ ଡିଗ୍ରୀ ଉପରେ ରହୁଛି ତାପମାତ୍ରା । ଚଳିତ ବର୍ଷ ଭୁବନେଶ୍ବର ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ହେବାର ଅଧିକ ସମ୍ଭାବନା ରହିଛି। ଗତ ୨୦୨୧ରେ ମଧ୍ୟ ଭୁବନେଶ୍ବର ବିଶ୍ବର ଉତ୍ତପ୍ତ ସହର ହୋଇଥିଲା । ଗତକାଲି ବୌଦ୍ଧ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଥିବା ବେଳେ, ରାଜଧାନୀରେ ବି ଉପରମୁହାଁ ହୋଇଛି ପାରଦ । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ସହରର ଦିନର ତାପମାତ୍ରା ୩୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି। ଗତକାଲି ବୌଦ୍ଧରେ ୩୫ଡିଗ୍ରୀ, ତାଳଚେରରେ ୩୪ ଦଶମିକ ୪ ଡିଗ୍ରୀ, ଭୁବନେଶ୍ବରରେ ୩୪ ଡିଗ୍ରୀ, ଗୋପାଳପୁରରେ ୩୩ ଦଶମିକ ୮ ଡିଗ୍ରୀ, ଝାରସୁଗୁଡାରେ ୩୩ ଦଶମିକ ୬ ଡିଗ୍ରୀ, ଟିଟଲାଗଡରେ ୩୩ ଦଶମିକ ୫ ଡିଗ୍ରୀ, ସୁନ୍ଦରଗଡରେ ୩୩ ଦଶମିକ ୩ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି  ଅନୁଗୁଳରେ ୩୩ ଦଶମିକ ୧ , ମାଲକାନଗିରି, ନବରଙ୍ଗପୁର ଓ ପୁରୀରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।