spot_img

Latest Posts

ଓଡ଼ିଶା ପାଲଟିଛି ଶିଳ୍ପପତିଙ୍କ ପ୍ରଥମ ପସନ୍ଦ, ଚଳିତ ବର୍ଷରେ ମିଳିଛି ୨୦ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶର ପ୍ରତିଶ୍ରୁତି

ଭୁବନେଶ୍ୱର: ପୁଞ୍ଜିନିବେଶର ଟପ୍ ଡେଷ୍ଟିନେସନ୍ ଓଡ଼ିଶା। ପାଲଟିଛି ଶିଳ୍ପପତିଙ୍କ ପ୍ରଥମ ପସନ୍ଦ। ଦେଶ ହେଉ କି ବିଦେଶ, ନିବେଶ ପାଇଁ ଓଡ଼ିଶା ଆସୁଛନ୍ତି ଶିଳ୍ପପତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେକ୍ ଇନ୍ ଓଡ଼ିଶା ଦେଇଛି ନିର୍ଭରଯୋଗ୍ୟ ଭରସା। ବଢ଼ିଛି ପୁଞ୍ଜିନିବେଶ, ଜାତୀୟ ହାରକୁ ବହୁ ପଛରେ ପକାଇଛି ରାଜ୍ୟ । କରୋନା ସମୟରେ ଦେଶରେ ସର୍ବାଧିକ ନିବେଶ ଆଣିଥିଲା ଓଡ଼ିଶା। ପୁଞ୍ଜିନିବେଶରେ ମହାରାଷ୍ଟ୍ରକୁ ପଛରେ ପକାଇ ୧ ନମ୍ବର ସ୍ଥାନ ହାସଲ କରିଥିଲା । ୨୦୨୦ ଆର୍ଥିକ ବର୍ଷରେ ମହାରାଷ୍ଟ୍ରରେ ଦେଶର ୧୬ ପ୍ରତିଶତ ନିବେଶ ହୋଇଥିବା ବେଳେ ଓଡ଼ିଶାକୁ ୧୮ ପ୍ରତିଶତ ମିଳିଥିଲା । ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମହାରାଷ୍ଟ୍ରକୁ ପଛରେ ପକାଇ ପୁଞ୍ଜିନିବେଶର ଶୀର୍ଷ ଛୁଇଁଥିଲା ଓଡ଼ିଶା । ୨୦୨୩ ରିପୋର୍ଟରେ ବି ଓଡ଼ିଶା ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି । ରାଜ୍ୟକୁ ୨୦ ଲକ୍ଷ ୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଛି ।

ପୁଞ୍ଜିନିବେଶରେ ଦେଶଠୁ ଆଗରେ ଓଡ଼ିଶା। ଜାତୀୟ ହାର ୨୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ୪୫ରୁ ୪୭ ପ୍ରତିଶତ ରହିଛି । ମେକ୍ ଇନ୍ ଓଡ଼ିଶା ୨୦୧୬ରେ ୮୪ ଶିଳ୍ପ ପାଇଁ ୨ ଲକ୍ଷ ୩୨ ହଜାର ୩୫ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିବା ବେଳେ ୨୦୧୮ରେ ୨୦୨ଟି ଶିଳ୍ପ ପ୍ରସ୍ତାବ ଆସିଥିଲା । ଏଥିରେ ୪ ଲକ୍ଷ ୨୩ ହଜାର ୧୧୫ କୋଟିର ନିବେଶ ପ୍ରତିଶ୍ରୁତି ମିଳିଥିଲା। ମେକ୍ ଇନ୍ ଓଡ଼ିଶା ୨୦୨୨ ଜରିଆରେ ୭୪୧ ଶିଳ୍ପ ପାଇଁ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ନିବେଶ ପାଇଁ ପୁଞ୍ଜିପତି ଆଗେଇ ଆସିଥିଲେ । ଏସବୁ କାର୍ଯ୍ୟକାରୀ ହେଲେ ୧୦ ଲକ୍ଷ ୩୭ ହଜାର ୮୦୧ ନିଯୁକ୍ତି ସୃଷ୍ଟି ହେବ। ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି ପାଇଁ ମଧ୍ୟ ୩୬ଟି ଶିଳ୍ପ ସଂସ୍ଥା ସହ ଚୁକ୍ତି ହୋଇଛି ।

କେବଳ ଖଣିଜ ଭିତ୍ତିକ ଶିଳ୍ପ ନୁହେଁ କୃଷି, ବୟନ ଶିଳ୍ପ, ଆଇଟି ଓ ଆଇଟିଏସ୍, ପେଟ୍ରୋକେମିକାଲ ସେକ୍ଟରରେ ମଧ୍ୟ ପୁଞ୍ଜିନିବେଶରେ ରେକର୍ଡ କରିଛି ଓଡ଼ିଶା । ଏସବୁ କାରଣ ପାଇଁ ଜାତୀୟ ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଅନେକ ଉପରେ ରହିଛି ।

Latest Posts

Don't Miss