spot_img

Latest Posts

ଅସୁରାଳିରେ ବିରୋଧୀଙ୍କୁ 5T ଅଧ୍ୟକ୍ଷଙ୍କ ଟାର୍ଗେଟ୍; କହିଲେ- ଧାମନଗର ନିର୍ବାଚନ ପରେ ନେତାଙ୍କ ଦେଖାମିଳୁନି

ଧାମନଗର: ଅସୁରାଳିରେ ବିରୋଧୀଙ୍କୁ ସିଧା ଟାର୍ଗେଟ୍। ଧାମନଗର ଉପନିର୍ବାଚନ କଥା ଉଠାଇ ବର୍ଷିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ନାଁ ନ ନେଇ ନିର୍ବାଚନର ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଧାମନଗର ବିଜେପି ବିଧାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ୨୦୨୨ ଉପନିର୍ବାଚନ ପାଇଁ ଅକ୍ଟୋବରରୁ ନଭେମ୍ବର ମାସ ଭିତରେ ୫ଥର ଆସିଥିଲେ ପ୍ରଚାରର ମଙ୍ଗ ଧରିଥିବା ନେତା।

ଶହ ଶହ ଗାଁରେ ବୁଲି ହଜାର ହଜାର ଲୋକଙ୍କୁ ଭେଟିଥିଲେ। ବାଇକ୍, ଜିପ ଶୋଭାଯାତ୍ରା ସହ ପଦଯାତ୍ରାରେ ପ୍ରଚାର କରିଥିଲେ। ଶହେ ଦୁଇ ଶହ ପ୍ରତିଶ୍ରୁତି ବି ଦେଇଥିଲେ। ଦଳୀୟ ପ୍ରାର୍ଥୀ ଜିତିଲେ ଏସବୁ କରିବୁ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଉପନିର୍ବାଚନକୁ ବର୍ଷେ ପୂରିଲାଣି। ଯେଉଁ ପ୍ରାର୍ଥୀ ଜିତିଲେ ଏବଂ ଯେଉଁ ନେତା ମଙ୍ଗ ଧରିଥିଲେ, ସେମାନେ ଧନ୍ୟବାଦ ଜଣାଇବାକୁ ବି ଆସିନାହାନ୍ତି। ନିର୍ବାଚନ ଜିତିବା ପରେ ଲୋକଙ୍କୁ ଭୁଲି ଯାଇଛନ୍ତି ନେତା। ଯାହା ପ୍ରତିଶ୍ରୁତି ଦେଇଥିଲେ ଗୋଟିଏ ବି ରଖିନାହାନ୍ତି। ଏହା ହେଉଛି ଭୋଟ୍ ରାଜନୀତି କରୁଥିବା ଲୋକଙ୍କ ପ୍ରକୃତ ଚେହେରା।

ନିର୍ବାଚନ ହେଲେ ୫ଥର କଣ ସେମାନେ ୧୦ଥର ଆସିବେ। ହେଲେ ଭୋଟ୍ ସରିଲେ ଧନ୍ୟବାଦ ଜଣାଇବାକୁ ବି ଆସିବେନି। ନିର୍ବାଚନ ପରେ ସଂପୃକ୍ତ ନେତା ଶହେ ଥର ଓଡ଼ିଶା ଆସିଛନ୍ତି, କିନ୍ତୁ ଧାମନଗରକୁ ଭୁଲିଗଲେ। ଜୁନରେ ଧାମନଗର ଆସିବା ବେଳେ 5T ଅଧ୍ୟକ୍ଷଙ୍କୁ କିଛି ଲୋକ ମନା କରିଥିଲେ। ସେଠାରେ ଅନ୍ୟ ଦଳର ବିଧାୟକ ଅଛନ୍ତି, କାହିଁକି ଯିବେ ବୋଲି କହିଥିଲେ। ହେଲେ ସାଢେ ୪କୋଟି ଓଡ଼ିଶାବାସୀ ମୋର ପରିବାର ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧାମନଗରବାସୀଙ୍କ ପାଇଁ ଥରେ କି ଦୁଇ ଥର ନୁହେଁ ତିନି ଥର ଯିବାକୁ କହିଥିଲେ।

ଆଜି ଦ୍ବିତୀୟ ଥର ଧାମନଗର ଆସିଥିବା ବେଳେ ପୁଣି ଥରେ ଆସିବେ ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୋଇବାକୁ ଦେବେନି। ଏହା ହେଉଛି ସେବା ମନବୃତ୍ତି, ଏଇଟା ମୁଖ୍ୟମନ୍ତ୍ରୀଙ୍କ ଚେହେରା ବୋଲି ପାଣ୍ଡିଆନ୍ କହିଛନ୍ତି। ଭୋଟ୍ ପାଇଁ ଯେଉଁମାନେ ରାଜନୀତି କରିବେ, ସେମାନେ ଲୋକଙ୍କୁ ଭୁଲିଯିବେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅଛନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

Latest Posts

Don't Miss