spot_img

Latest Posts

ରଙ୍ଗ ବଦଳା ରାଜନୀତିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ନନ୍ଦିଘୋଷ ବ୍ୟୁରୋ: ସରକାର ପରିବର୍ତ୍ତନ ହେଲେ ପୋଲିସ୍ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରିବା ବେଳେ ଓଡ଼ିଶା ସରକାରଙ୍କୁ ଏମିତି କଟାକ୍ଷ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ହୃଷିକେଶ ରାୟ ।

୨୦୨୩ ମସିହାରେ ହୋଇଥିବା ଏକ ପ୍ରତିବାଦ ସମୟରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନାଁରେ ମାମଲା ହୋଇଥଲା । ଜୟ ନାରାୟଣ ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ, ଯାହା ଖାରଜ ହୋଇଯାଇଥିଲା । ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଜଷ୍ଟିସ୍ ହୃଷିକେଶ ରାୟ ଏବଂ ଏସ୍.ଭି.ଏନ୍ ଭଟ୍ଟିଙ୍କ  ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ଅନୁସନ୍ଧାନର ପୂର୍ବାନୁମାନକୁ ବିଚାର କରି ଜୟ ନାରାୟଣଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ଶୁଣାଣି ସମୟରେ ଓଡ଼ିଶା ରାଜ୍ୟ ପାଇଁ  ଆଡଭୋକେଟ୍ ସମାପିକା ବିଶ୍ବାଳ ଯୁକ୍ତି ଦର୍ଶାଇ କହିଥିଲେ ଯେ, କୋର୍ଟ କେବଳ ମିଶ୍ରଙ୍କୁ ତଦନ୍ତରେ ସହଯୋଗ କରିବାକୁ କହିପାରିବେ। ଏହା ପୂର୍ବରୁ ରାଜ୍ୟରେ ସେତେବେଳର ବିଜେଡି ସରକାରଙ୍କ ତରଫରୁ ଏକ କାଉଣ୍ଟର ଆଫିଡେଭିଟ ଜରିଆରେ ଜୟ ନାରାୟଣଙ୍କ ସମସ୍ତ କାର୍ଯ୍ୟକଳାପକୁ  ବିସ୍ତୃତ ଭାବେ ଦର୍ଶାଇ ତାଙ୍କ ଜାମିନ ଆବେଦନକୁ ଖାରଜ ଜରିବାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ୨୦୨୪ରେ ବିଜେପି କ୍ଷମତାକୁ ଆସିବା ପରେ ଏଥିରେ କିଛି ଅଦଳବଦଳ କରାଯାଇ କୋର୍ଟଙ୍କୁ ପ୍ରଦାନ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏମିତି କିଛି ଦସ୍ତାବିଜ ଦାଖଲରେ କ୍ଷୋଭ ପ୍ରକାଶ କରି ଜଷ୍ଟିସ୍ ଭଟ୍ଟି  ଆଡଭୋକେଟ ସମାପିକା ବିଶ୍ବାଳଙ୍କୁ ଓଡିଶା ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବାରୁ  ଆମେ ଏହାକୁ ଏକ ରିହାତି ଭାବରେ ଗ୍ରହଣ କରିପାରିବା କି ବୋଲି ପ୍ରଶ୍ନ କରିଥିଲେ । ପରେ ଜଷ୍ଟିସ୍ ରାୟ  ଦୃଢ ମନ୍ତବ୍ୟ ଦେଇ କହିଛନ୍ତି ଯେ ସରକାରଙ୍କ ପରିବର୍ତ୍ତନ ସହିତ ପୋଲିସ୍ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ ହୁଏ ନାହିଁ ।

Latest Posts

Don't Miss