spot_img

Latest Posts

୨୦୨୩ ମସିହାରୁ ସରିଲାଣି ଶିଳାନ୍ୟାସ, ଆରମ୍ଭ ହୋଇନି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ନିର୍ମାଣ କାମ

ଗଜପତି : ଆଦିବାସୀ ଅଞ୍ଚଳକୁ ସରକାରଙ୍କ ଅଣଦେଖା । ୨୦୨୩ ମସିହାରୁ ସରିଲାଣି ଶିଳାନ୍ୟାସ  । ଆରମ୍ଭ ହୋଇନି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ନିର୍ମାଣ କାମ । ବଣବୁଦାରେ ଢାଙ୍କିହୋଇଗଲାଣି ଶିଳାନ୍ୟାସ ଫଳକ । ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ କୁମଜାଙ୍ଗ ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସରିଛି । ୨୦୨୩ ମସିହା ମେ ୨୯ ତାରିଖରେ କେନ୍ଦ୍ର ସରକାର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳୀନ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ସ୍କୁଲ ପାଇଁ ୧୮ ଏକରରୁ ଅଧିକ ଜମି ଅଧିଗ୍ରହଣ ମଧ୍ୟ ସରିଛି । ନିର୍ମାଣାଧୀନ ସ୍ଥାନର ମାଟି ପରୀକ୍ଷାରେ ସୀମିତ ରହିଛି ନିର୍ମାଣ କାମର ଅଗ୍ରଗତି । କେଉଁ ସଂସ୍ଥାକୁ ଏହାର ନିର୍ମାଣ ଦାୟିତ୍ବ ଦିଆଯାଇଛି, କେଉଁ ବିଭାଗ ଏହାର ତଦାରଖ ଦାୟିତ୍ବରେ ରହିଛନ୍ତି, ଏ ନେଇ କୌଣସି ସୂଚନା ନାହିଁ । ନିର୍ମାଣ କାର୍ଯ୍ୟର ଅହେତୁକ ବିଳମ୍ଵକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ।

ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ୩୮ କୋଟି ଅର୍ଥ ମଞ୍ଜୁର ହୋଇଥିଲା । ଲୋକଙ୍କୁ ସ୍ବପ୍ନ ଦେଖାଇଥିଲେ ଆବାସିକ ବିଦ୍ୟାଳୟ ସ୍ଥାପନ ହେବ । ଆଦିବାସୀ ଛାତ୍ରଛାତ୍ରୀ ଉନ୍ନତ ମାନର ଶିକ୍ଷା ଲାଭ କଲେ ଅଞ୍ଚଳର ବିକାଶ ହେବ ।  ଏ ସ୍ବପ୍ନ ସାକାର ହେବା ପରିବର୍ତ୍ତେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ସଦୃଶ୍ୟ ହୋଇଛି । ଭିତ୍ତିପ୍ରସ୍ତର ସ୍ଥାପନ ପରେ ଅଧିକାରୀଙ୍କ ଦେଖା ମିଳୁନାହିଁ । ଅଧିକାରୀମାନେ ପରିଦର୍ଶନରେ ଆସୁନଥିବାରୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଜନ ଅସନ୍ତୋଷ ସୃଷ୍ଟି ହେଉଥିବା ବେଳେ ଅନୁଧ୍ୟାନ କରି କାର୍ଯ୍ୟ ଆଗକୁ ନେବେ ବୋଲି କହିଛନ୍ତି ଜିଲ୍ଲାପାଳ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଉଦ୍ଦିଷ୍ଟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ହେଲେ , ଉନ୍ନତ ମାନର ଶିକ୍ଷା ପାଇବେ ଆଦିବାସୀ ଛାତ୍ରଛାତ୍ରୀ । ଶିକ୍ଷାର ବିକାଶ ହେଲେ ଆଦିବାସୀ ଅଧୁସିତ ଅଞ୍ଚଳର ବିକାଶ ହେବ। ତେବେ ଏହା କେବେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା।

Latest Posts

Don't Miss