ସରକାରଙ୍କ ତଣ୍ଟିରେ କଣ୍ଟା ସାଜିଛି ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କେଳେଙ୍କାରୀ

ନନ୍ଦିଘୋଷ ବ୍ୟୁରୋ: ପାର୍ଟ ପ୍ଲଟ କେଳେଙ୍କାରୀ ବିଜେପି ସରକାର ପାଇଁ ତଣ୍ଟିରେ କଣ୍ଟା ସଦୃଶ ହୋଇଛି । ନା ଢୋକି ପାରୁଛନ୍ତି ନା ବାହାର କରିପାରୁଛନ୍ତି । ବେଆଇନ ଭାବେ ପାର୍ଟ ପ୍ଲଟ ପଞ୍ଜୀକରଣ କରି ୯ଜଣ ସବ ରେଜିଷ୍ଟ୍ରାର ଏବେ ସରକାରଙ୍କ ସ୍କାନରରେ। ସବ ରେଜିଷ୍ଟ୍ରାରଙ୍କୁ ବେଆଇନ ପଞ୍ଜୀକରଣ ତଥ୍ୟ ମାଗିଲେ ବି ମିଳୁନାହିଁ। ଆଇଜିଆର୍ ଓ ରାଜସ୍ବ ବିଭାଗ ଭୂମିକା ବି ସନ୍ଦେହ ଘେରରେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ମାମଲାରେ ମୁଣ୍ଡ ପୂରାଇଥିଲେ ବି ମୁକୁଳିବାର ବାଟ ଖୋଜାଚାଲିଛି । ଖଣ୍ଡଗିରି ଡିଏସ୍ଆର୍ ନିଲମ୍ବିତ ହୋଇଥିବା ବେଳେ ଆଉ କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ଯୋଜନା କରୁଛନ୍ତି । ହେଲେ ଏସବୁ ଭିତରେ ପାର୍ଟ ପ୍ଲଟ ପଞ୍ଜୀକରଣର ବାଟ ଫିଟୁନାହିଁ। ତର୍ଜମା ବାହାନାରେ କେବଳ ସମୟ ଗଡ଼ିଚାଲିଛି।
ସାରା ରାଜ୍ୟରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କେଳେଙ୍କାରୀ । ସରକାରଙ୍କ ସ୍କାନରରେ କଟକ-ଖୋର୍ଦ୍ଧା-ଅନୁଗୁଳ-ଗଞ୍ଜାମ ଜିଲ୍ଲାର ସବ ରେଜିଷ୍ଟ୍ରାର। ବିବାଦରୁ ମୁକୁଳିବା ପାଇଁ ସରକାର ପାଦେ ଆଗକୁ ଯାଇ ପୁଣି ପଛକୁ ଦୁଇ ପାଦ ଫେରୁଛନ୍ତି। ଦୁର୍ନୀତିମୁକ୍ତ ରାଜସ୍ବ ପ୍ରଶାସନ କେବଳ ସ୍ଲୋଗାନ ପାଲଟିଛି। ଓରେରା ଆକ୍ଟର ଧାରା ୩ ଏବଂ ଓଡ଼ିଶା ଡେଭେଲପମେଣ୍ଟ ଆକ୍ଟର ଧାରା ୧୫ ଅନୁସାରେ ପାର୍ଟ ପ୍ଲଟ ବିକ୍ରି ପାଇଁ ଉନ୍ନୟନ କର୍ତ୍ତୁପକ୍ଷଙ୍କ ଅନୁମତି ଜରୁରୀ । ଯେଉଁ ପାର୍ଟ ପ୍ଲଟରେ ଲେ-ଆଉଟ ଥିବ, ତାହା ଅନୁମୋଦିତ ହେବ। ଯେଉଁଥିରେ ଲେ-ଆଉଟ ପ୍ଲାନ ନଥିବ, ତାହା ପଞ୍ଜୀକରଣ ହେବନାହିଁ। ହେଲେ ରାଜ୍ୟର ବିଭିନ୍ନ ସବ ରେଜିଷ୍ଟ୍ରରମାନେ ଏହାକୁ ଅଣଦେଖା କରି ବେଆଇନ ଭାବେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ କରିଛନ୍ତି । ୧୯ ଫେବୃଆରୀ, ୨୦୨୫ରେ କିଛି ଲୋକ ଆଇଜିଆରଙ୍କ ପାଖରେ ଏନେଇ ଲିଖିତ ଅଭିଯୋଗ କଲେ। ୨୫ ଫେବୃଆରୀ, ୨୦୨୫ରେ ଭୁବନେଶ୍ବର ଏଡିଏମ୍ ଡିସେମ୍ବର ଓ ଜାନୁଆରୀ ମାସର ତଥ୍ୟ ଦେବାକୁ ଖୋର୍ଦ୍ଧା ରେଜିଷ୍ଟ୍ରାରଙ୍କୁ ଚିଠି କଲେ । ୧୦ ମାର୍ଚ୍ଚ, ୨୦୨୫ରେ ଆଇଜିଆର ୫୫ଟି ବେଆଇନ ଦଲିଲ ବାବଦରେ ତଥ୍ୟ ଦେବାକୁ ଖୋର୍ଦ୍ଧା ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଲେ। ହେଲେ ଏଯାଏଁ କିଛି ଉତ୍ତର ମିଳିଲା ନାହିଁ। ଏହାକୁ ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉନାହିଁ।
କେବଳ ଖୋର୍ଦ୍ଧା ନୁହେଁ, ଅନୁଗୁଳ, ଗଞ୍ଜାମ, ବାରଙ୍ଗରେ ବି ହୋଇଛି ବେଆଇନ ପାର୍ଟ ପ୍ଲଟ ବିକ୍ରି। ଆଇଜିଆର୍ ବାରଙ୍ଗ ଓ ଖୋର୍ଦ୍ଧା ସବ ରେଜିଷ୍ଟ୍ରରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ବେଳେ ଗଞ୍ଜାମ ଓ ଅନୁଗୁଳ ସବ ରେଜିଷ୍ଟ୍ରରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏସବୁ ସତ୍ତ୍ବେ ପାର୍ଟ ପ୍ଲଟ ବିକ୍ରି ପାଇଁ ବାଟ ଫିଟିନାହିଁ। ରାଜସ୍ବ ବିଭାଗ ଓ ନଗର ଉନ୍ନୟନ ବିଭାଗ ମଧ୍ୟରେ ତର୍ଜମା ଚାଲିଛି, ହେଲେ କିଛି ନିଷ୍ପତ୍ତି ହୋଇନାହିଁ। ପାର୍ଟ ପ୍ଲଟ କେଳେଙ୍କାରୀରେ ଖଣ୍ଡଗିରିର ପୂର୍ବ ରେଜିଷ୍ଟ୍ରର ବିଶ୍ବଜିତ ପ୍ରଧାନ ନିଲମ୍ବନ ହେବା ପରେ ପାର୍ଟ ପ୍ଲଟ ଉପରେ ରୋକ୍ ଲାଗିଛି। ଯେଉଁ ପାର୍ଟ ପ୍ଲଟରେ ଲେ-ଆଉଟ ଥିବ, ତାହା ପଞ୍ଜୀକରଣ ଯୋଗ୍ୟ।
ପାର୍ଟ ପ୍ଲଟ କେଳେଙ୍କାରୀରେ ୯ଜଣ ସବ ରେଜିଷ୍ଟ୍ରାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଫାଇଲ ଯାଇଥିବା ଚର୍ଚ୍ଚା ହେଉଛି। ହେଲେ ପ୍ରଶ୍ନ ଉଠୁଛି, ବେଆଇନ କାରବାର କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ? ଆଇଜିଆର ଓ ରାଜସ୍ବ ବିଭାଗର ଭୂମିକାକୁ ନେଇ ବି ଚର୍ଚ୍ଚା ହେଉଥିବା ବେଳେ ପାର୍ଟ ପ୍ଲଟ କିଣାବିକା ପାଇଁ ସରକାର କେବେ ନିଷ୍ପତ୍ତି ନେବେ, ତାକୁ ସମସ୍ତେ ଅପେକ୍ଷା କରିଛନ୍ତି।