ତାଳଚେର ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ମୃତଦେହ ମିଳିବାର ଦୁଇ ଦିନ ପରେ ବି ପୋଲିସର ହାତ ଖାଲି

ତାଳଚେର : ଝିଅର ମୃତ୍ୟୁ ପରେ କାନ୍ଦବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ଛାତି ଫଟାଇ କାନ୍ଦି କାନ୍ଦି ଗଡିଯାଉଛି ମାଆ । ସମସ୍ତଙ୍କ ଆଖିରେ ଧାର ଧାର ଅଶ୍ରୁ । ସମସ୍ତଙ୍କ ଆଖିରେ ନାଚିଯାଉଛି ଅତି ପ୍ରିୟ ଝିଅର ଚେହେରା । ଅପହରଣ, ଦୁଷ୍କର୍ମ ଓ ହତ୍ଯାର ଶିକାର ଝିଅର ମୃତଦେହ ତାଳଚେରରେ ପହଞ୍ଚିବା ପରେ ଏ ହେଉଛି ପରିବାର ଲୋକଙ୍କ ଅବସ୍ଥା । ଏହି ଦୁଃଖ ସମୟରେ ପରିବାର ଲୋକଙ୍କୁ ସମବେଦନା ଜଣାଇବା ପାଇଁ ପୀଡିତାଙ୍କ ଗାଁରେ ପହଞ୍ଚି ସମବେଦନା ଜଣାଇଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ପରେ ଗାଁ ମଶାଣିରେ ପୀଡିତାଙ୍କ ଶେଷକୃତ୍ଯ ସଂପନ୍ନ ହୋଇଛି । ସରଳ ନିରୀହ ଝିଅ ସିନା ମଶାଣିରେ ଜଳି ପାଉଁଶ ହୋଇଗଲା ପ୍ରଶ୍ନ ଉଠୁଛି ତାଙ୍କୁ କେବେ ମିଳିବ ନ୍ଯାୟ ? କେବେ ଧରାହେବେ ଅପରାଧୀ ? କେବେ ମିଳିବ ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ? ଅପରାଧୀଙ୍କୁ ଧରିବାରେ ଅସମର୍ଥ ପୋଲିସ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? ଏନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଏ ସରକାରରେ ନ୍ୟାୟ ପାଇବେ ତ ପୀଡିତା ?
ମୃତଦେହ ମିଳିବା ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ବି ପୋଲିସର ହାତ ଖାଲି । ନିର୍ଦ୍ବନ୍ଦ୍ବରେ ବୁଲୁଛି ଅପରାଧୀ । ଘଟଣାକୁ କଂଗ୍ରେସ ନେତ୍ରୀ ସସ୍ମିତା ବେହେରା ଏବଂ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମୁକେଶ କୁମାର ପାଳ ତୀବ୍ର ନିନ୍ଦା କରିବା ସହ ରାଜ୍ଯ ସରକାରଙ୍କ ଉପରେ ବର୍ଷିଛନ୍ତି । ଏପଟେ ପାଲଲହଡା ବିଧାୟକ ପୋଲିସକୁ ତା କାମ କରିବାକୁ ଦିଆଯାଉ କହି ଘଣ୍ଟ ଘୋଡାଇ ଦେଉଛନ୍ତି । ଯାହା ତାଳଚେରବାସୀଙ୍କୁ ବ୍ଯଥିତ କରିଛି । ଏଠି ପ୍ରଶ୍ନ ଉଠୁଛି, ରାଜ୍ଯରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡିପଡିଥିବା ବେଳେ ସରକାର ଚୁପ କଣ ପାଇଁ ? ଆଉ କେତେ ଝିଅର ମୁଣ୍ଡ ଗଡିଲେ ସରକାରଙ୍କ ଚେତା ପଶିବ ?