ପାଣି ଟୋପାଏ ପାଇଁ ଆଉଟୁପାଉଟୁ ୫୦ରୁ ଅଧିକ ପରିବାର

ନିମାପଡ଼ା : ପ୍ରତି ଘର ଆଗରେ ଲାଗିଛି ଷ୍ଟାଣ୍ଡପୋଷ୍ଟ । ହେଲେ ତାହା ଅଚଳ । କେଉଁଟା ଭାଙ୍ଗିରୁଜି ଗଲାଣି ତ କାହା ଚାରିପଟେ ଲତାବୁଦା ମାଡିଗଲାଣି । ଏ କୌଣସି ପାହାଡିଆ ଅଞ୍ଚଳର ଦୃଶ୍ଯ ନୁହେଁ । ଏ ହେଉଛି ନିମାପଡ଼ା ବ୍ଲକ୍ ଅଧିନ ରଟିଲୋ ପଞ୍ଚାୟତ ଡିହସାହି ଗାଁର ଦୃଶ୍ଯ । ଗାଁରେ ୫୦ରୁ ଅଧିକ ପରିବାର ବସବାସ କରୁଛନ୍ତି ହେଲେ ପିଇବା ପାଣି ନିମନ୍ତେ କୌଣସି ସୁବିଧା ନଥିବାରୁ ବାଧ୍ଯ ହୋଇ ଲୋକେ ଗାଁ ମଝିରେ ଥିବା କୂଅର ଦୂଷିତ ପାଣି ପିଉଛନ୍ତି । ଗ୍ରାମବାସୀଙ୍କ ସମସ୍ଯା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ । ଖୁବଶୀଘ୍ର ପାଣି ସମସ୍ଯାର ସମାଧାନ କରାନଗରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ରଟିଲୋ ପଞ୍ଚାୟତରେ ପ୍ରତି ଗାଁକୁ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନାରେ ମେଗା ପାନୀୟ ଜଳ ପ୍ରକଳ୍ପ ରହିଛି । ସବୁ ଗାଁକୁ ପାନୀୟ ଜଳ ଯୋଗାଣ ହେଉଛି । ହେଲେ ଡିହସାହିକୁ ପାନୀୟ ଜଳ ଯୋଗାଣ ହୋଇପାରିନାହିଁ । ଗାଁଟି ପଞ୍ଚାୟତର ଶେଷ ମୁଣ୍ଡରେ ଥିବାରୁ ପାଇପ ଲାଇନ ପଡିଥିବା ସତ୍ତ୍ଵେ ସ୍ଥାନୀୟ ନେତାଙ୍କ ଆନ୍ତରିକତା ଅଭାବ ଏବଂ ଦଳୀୟ ମନୋବୃତି ପାଇଁ ବର୍ତ୍ତମାନ ସୁଦ୍ଧା ପାନୀୟ ଜଳ ଯୋଗାଣ ହୋଇପାରିନାହିଁ । ଏପଟେ ଖୁବଶୀଘ୍ର ସମସ୍ଯାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଡିଓ । ହର ଘର ଜଳ ଯୋଜନା ମାଧ୍ୟମରେ ସରକାର ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଇ ଦେଉଥିବା ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି । ସରକାରଙ୍କ ଏହି ଯୋଜନାରେ ହିତାଧିକାରୀ ମାନେ କିଭଳି ସୁଫଳ ପାଉଛନ୍ତି ଡିହସାହି ଗ୍ରାମରୁ ସ୍ପଷ୍ଟ ବାରି ହୋଇପଡିଛି।