ଆସନ୍ତାକାଲି ଠାରୁ ଓଡ଼ିଶାରେ ହେବ ସିଭିଲ ଡିଫେନ୍ସ ମକ ଡ୍ରିଲ୍
1 min read
ଭୁବନେଶ୍ୱର : ବିପଦ ଆସିଲେ ବାଜିବ ସାଇରନ୍ । ସତର୍କ ହେବେ ଲୋକ । ନିଜକୁ ସୁରକ୍ଷିତ ରଖିବା ସହ ପରିବାରର ବଞ୍ଚାଇବେ ଜୀବନ । ଯୁଦ୍ଧ ହେଲେ ଏଭଳି ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବ ପ୍ରଶାସନ । ସିଭିଲ ଡିଫେନ୍ସ ମକ ଡ୍ରିଲ ଦ୍ବାରା ଆଗୁଆ ଲୋକଙ୍କୁ କରାଯିବ ସଚେତନ । ଆସନ୍ତାକାଲି ଅପରାହ୍ନ ୪ ଟାରେ ୧୨ଟି ସ୍ଥାନରେ ହେବ ଏହି ସିଭିଲ ଡିଫେନ୍ସ ମକ ଡ୍ରିଲ । ଏନେଇ ଆଜି ଗୃହ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହିତ ଆଲୋଚନା କରିଛନ୍ତି ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ । ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ତାଳଚେର ଓ ପୁରୀରେ ହେବ ସିଭିଲ ଡିଫେନ୍ସ ମକ ଡ୍ରିଲ । ତାଳଚେରରେ କାଟେଗୋରି-୧ ସ୍ଥାନ ଭାବେ ଚି଼ହ୍ନଟ ହୋଇଥିବାବେଳେ, କାଟେଗୋରି-୨ରେ ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର, ଗୋପାଳପୁର, ହୀରାକୁଦ, ପାରାଦ୍ୱୀପ ଏବଂ ରାଉରକେଲା ରହିଛି । କାଟେଗୋରି-୩ରେ ଅଛି ଭଦ୍ରକ, ଢେଙ୍କାନାଳ, ଜଗତସିଂପୁର, କେନ୍ଦ୍ରାପଡ଼ା । ସାତ ଦିନ ଧରି ଚାଲିବ ଏହି ମକ୍ ଡ୍ରିଲ ।
ସିଭିଲ ଡିଫେନ୍ସ ମକ ଡ୍ରିଲ ଆରମ୍ଭ ହେଲେ ୫ମିନିଟ ଧରି ସାଇରନ ବାଜିବ । ଯୁଦ୍ଧ ପରିସ୍ଥିତି ମୁକାବିଲା ପାଇଁ ଏ ପ୍ରସ୍ତୁତି କରାଯାଉଛି । ପ୍ରଥମେ ୫ ମିନିଟ ଧରି ଲମ୍ବା ସାଇରନ୍ ବାଜିଲେ ଶତ୍ରୁ ପକ୍ଷରୁ ଆକ୍ରମଣ ଆରମ୍ଭ ହେଲା ବୋଲି ଧରି ନେବାକୁ ହେବ । ଲୋକେ କଙ୍କ୍ରିଟ ଘରକୁ ଚାଲିଯିବେ। ଖାଦ୍ୟ, ଜଳ, ସ୍ବାସ୍ଥ୍ୟ, ସିଭିଲ୍ ଡିଫେନ୍ସ ହାତକୁ ଚାଲିଯିବ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଯେଉଁ ସାମଗ୍ରୀ ଅଛି ତାକୁ ବି ଏଥିରେ ସାମିଲ କରାଯିବ । ଓସଡମା ସହ ମିଳିତ ଭାବରେ ପ୍ରସ୍ତୁତି ହେଉଛି ପ୍ଲାନ । ୧୨ଟି ଜିଲ୍ଳାର ବିପର୍ଯ୍ୟୟ ମୁକାବିଲା ବାତ୍ୟା ଆଶ୍ରୟସ୍ଥଳୀ ବି ଏଥିରେ ସାମିଲ ହେବ । ଜେନେଭା ଚୁକ୍ତି ଅନୁସାରେ ଯୁଦ୍ଧ ସମୟରେ ରେଡ୍ କ୍ରସ ଓ ଗୋଳା ବାରୁଦ ସଂରକ୍ଷଣ ସ୍ଥାନକୁ ଆକ୍ରମଣ କରାଯାଏ ନାହିଁ ।