ବିଜୁ ବାବୁଙ୍କ ପାଇଁ ଭାରତ ଗର୍ବିତ; ଦ୍ବିତୀୟ ବିଶ୍ବଯୁଦ୍ଧ ବିଜୟର ୮୦ ବର୍ଷ ପୂର୍ତ୍ତିରେ ବିଜୁଙ୍କୁ ଋଷ କଲା ସମ୍ମାନିତ

ନନ୍ଦିଘୋଷ ବ୍ୟୁରୋ: ବିଜୁ ବାବୁଙ୍କ ଅବଦାନକୁ ସମ୍ମାନ ଜଣାଇ ଋଷ ଦୂତାବାସରେ ଉନ୍ମୋଚିତ ହୋଇଛି ସ୍ମାରକୀ ଫଳକ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ସାହସ ଓ ପରାକ୍ରମ ପାଇଁ ସାରା ଦେଶ ଗର୍ବିତ ବୋଲି ଏହି ଅବସରରେ ନବୀନ କହିଛନ୍ତି ।
ଦ୍ଵିତୀୟ ବିଶ୍ୱଯୁଦ୍ଧରେ ବିଜୁବାବୁଙ୍କ ସାହସ ଶୌର୍ଯ୍ୟ ଓ ପରାକ୍ରମର ଗାଥା ଆଜି ନୂଆଦିଲ୍ଲୀର ଋଷ ଦୂତାବାସରେ ଗୁଞ୍ଜରିତ ହୋଇଥିଲା । ଷ୍ଟାଲିନ ଗ୍ରାଡ଼ ଅଭିଯାନରେ ବିଜୁବାବୁଙ୍କ ଅବଦାନକୁ ସମ୍ମାନ ଜଣାଇବାକୁ ଋଷିଆ ହାଉସରେ ଆୟୋଜିତ ହୋଇଥିଲା ଭବ୍ୟ ଉତ୍ସବ । ଏଥରେ ମୁଖ୍ୟ ଅତିଥି ଭାବେ ବିଜୁ ବାବୁଙ୍କ ସୁପୁତ୍ର ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗଦେଇଥିଲେ । ଭାରତରେ ଋଷର ରାଷ୍ଟ୍ରଦୂତ ଡେନିସ ଅଲିପୋବଙ୍କ ଉପସ୍ଥିତିରେ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଦେଶରେ ସମର୍ପିତ ସ୍ମାରକୀ ଫଳକ ଉନ୍ମୋଚନ କରିଥିଲେ ନବୀନ । ମହାନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରି ନବୀନ କହିଥିଲେ ଯେ ବିଜୁ ବାବୁଙ୍କ ସାହସ ଓ ପରାକ୍ରମ ପାଇଁ ସାରା ଦେଶ ଗର୍ବିତ । ଦ୍ଵିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜଣେ ପାଇଲଟ ଭାବରେ ବିଜୁବାବୁ ଅତୁଳନୀୟ ସାହସ ପ୍ରଦର୍ଶନ କରିଥିଲେ । ଷ୍ଟାଲିନ ଗ୍ରାଡ଼ରେ ଅବରୁଦ୍ଧ ଋଷର ସେନାକୁ ଅସ୍ତ୍ର ଶସ୍ତ୍ର ଯୋଗାଇ ନାଜି ବିରୁଦ୍ଧରେ ବିଜୟକୁ ସୁଗମ କରିଥିଲେ ବିଜୁ ପଟ୍ଟନାୟକ । ବିଶ୍ୱକୁ ବିପର୍ଯୟରୁ ବଞ୍ଚାଇଥିଲେ । ବିଜୁ ବାବୁଙ୍କ ଏହି ସାହସ ଓ ପ୍ରତିବଦ୍ଧତା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ବୋଲି ନବୀନ କହିଥିଲେ ।
ଯେତେବେଳେ ଆତଙ୍କବାଦୀକୁ ନିପାତ କରିବା ପାଇଁ ଭାରତ ଲଢେଇ କରୁଛି , ଠିକ ସେତିକି ବେଳେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଦ୍ଵିତୀୟ ବିଶ୍ୱଯୁଦ୍ଧରେ ସାହସ ଶୌର୍ଯ୍ୟ ଓ ପରାକ୍ରମ ପାଇଁ ଋଷ ସମ୍ମାନ ଦିଆଯାଉଛି । ବିଜୁଙ୍କ ସହ ଏହା ଏକ ବଡ ସଂଯୋଗ ବୋଲି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଆଜି ସାରା ବିଶ୍ବ ବିଜୁଙ୍କ ବୀରତ୍ବକୁ ମନେପକାଇଛି । ସ୍ବାଧୀନତା ସଂଗ୍ରାମୀ ପାଇଁ ବିଜୁ ପଟ୍ଟନାୟକ ଯେଉଁ କାମ କରିଥିଲେ ତାହାକୁ ସମସ୍ତେ ଝୁରୁଛନ୍ତି । ବିଜୁବାବୁଙ୍କ ସାହସିକତା ଆଜି ସମସ୍ତଙ୍କ ମନରେ ସାହସ ଭରିଛି ବୋଲି ବିଧାୟକ ସାରଦା ଜେନା କହିଛନ୍ତି । ଋଷ ବିଜୁବାବୁଙ୍କୁ ସମ୍ମାନ ଦେବାରୁ ଦଳମତ ନିର୍ବିଶେଷରେ ସମସ୍ତେ ଗର୍ବିତ ମନେ କରିଛନ୍ତି ।