କ୍ୟାନ୍ସର ପୀଡ଼ିତଙ୍କ ଚିକିତ୍ସାରେ ଅର୍ଥ ବାଧକ, ଏଯାଏଁ ମିଳିନାହିଁ ଆୟୁଷ୍ମାନ କାର୍ଡ

ଗଜପତି : ଏଯାଏଁ ମିଳିନାହିଁ ଆୟୁଷ୍ମାନ କାର୍ଡ । ବିଏସକେୱାଇ କାର୍ଡରେ ଚିକିତ୍ସା ହେବନି କହି ଫେରାଇ ଦେଲା ହସ୍ପିଟାଲ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଚିକିତ୍ସା ନହୋଇପାରି ଘରେ ପଡ଼ିରହିଛନ୍ତି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଆଶ୍ରୟଗଡ଼ ଗାଁର ୩୪ ବର୍ଷୀୟ ଶୁଭରାଜ ମାଛ । ପରିବାରର ୫ ପ୍ରାଣୀଙ୍କ ମୁହଁରେ ଆହାର ଦେବାକୁ ଗାଁ ଗାଁ ବୁଲି ଜୋତା ସିଲାଇ କରୁଥିଲେ ଶୁଭରାଜ । କ୍ୟାନ୍ସରରେ ପୀଡ଼ିତ ପରେ ପରିବାରର ରୋଜଗାର ବନ୍ଦ ହୋଇଯାଇଛି । ଆଧାର ଅଟକି ରହିଯାଇଛି ପକ୍କାଗୃହ ନିର୍ମାଣର ସ୍ବପ୍ନ । ଆତ୍ମୀୟ ଓ ପଡ଼ୋଶୀଙ୍କ ଠାରୁ ଋଣ ଆଣିବା ସହ ଯାହା କିଛି ଥିଲା ସବୁ ଚିକିତ୍ସାରେ ସରିଯାଇଛି । ଏବେ ଅଧିକ ଚିକିତ୍ସା ପାଇଁପାଖରେ ସମ୍ଵଳ ନାହିଁ। ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ସ୍ତ୍ରୀ ।
ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପରେ ଜଣାପଡ଼ିଥିଲା ଶୁଭରାଜଙ୍କୁ କ୍ୟାନ୍ସର ହୋଇଛି । ସ୍ଵାମୀର ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲଠାରୁ ଆରମ୍ଭ କରି ଶ୍ରୀକାକୁଲମ ଜେମସ ହସ୍ପିଟାଲ ପର୍ଯ୍ୟନ୍ତ ବାରମ୍ବାର ସ୍ଵାମୀଙ୍କୁ ଚିକିତ୍ସା ପାଇଁ ନେଇ ହତାଶ ହୋଇପଡ଼ିଲେଣି ସ୍ତ୍ରୀ । ଆୟୁଷ୍ମାନ କାର୍ଡ ମିଳିନଥିବାରୁ ତାଙ୍କର ଚିକିତ୍ସା ହୋଇପାରୁନାହିଁ । ଦିନକୁ ଦିନ ତାଙ୍କର ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି । ସ୍ବାସ୍ଥ୍ୟ କାର୍ଡରେ ପଞ୍ଜିକୃତ ହୋଇଥିବା ବ୍ୟକ୍ତି ଆଧାର କାର୍ଡ ମାଧ୍ୟମରେ ଚିକିତ୍ସାର ସୁବିଧା ପାଇ ପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ। କ୍ୟାନ୍ସର ପୀଡ଼ିତ ପୁଅର କଷ୍ଟ ଦେଖି ଅସହାୟ ମା଼’ ଆଖିରୁ ଲୁହ ଶୁଖୁନି । ପିଲା ଛୁଆ ଓ ବୃଦ୍ଧ ପିତାମାତାଙ୍କୁ ଦେଖି ବଞ୍ଚିବାକୁ ଆଶା ବାନ୍ଧିଥିବା ବେଳେ ଶୁଭରାଜଙ୍କ ଚିକିତ୍ସା ପାଇଁ ସରକାରଙ୍କ ସହାୟତା ଏକମାତ୍ର ଭରସା ହୋଇଛି ।