ଧୂଳିସାତ ହେଲା କ୍ରିମିନାଲଙ୍କ ‘ଗ୍ୟାଙ୍ଗସ୍ ଅଫ ଗଞ୍ଜାମ’ ଗଢିବାର ସ୍ୱପ୍ନ
1 min read
ଭୁବନେଶ୍ୱର : ଧୂଳିସାତ ହେଲା କ୍ରିମିନାଲଙ୍କ ‘ଗ୍ୟାଙ୍ଗସ୍ ଅଫ ଗଞ୍ଜାମ’ ଗଢିବାର ସ୍ୱପ୍ନ । ଗ୍ୟାଙ୍ଗଷ୍ଟାରଙ୍କୁ ଚେକ ଦେବାକୁ ପୋଲିସର “ଅପରେସନ କ୍ଲିନ ସୁଇପ” । ମୁଙ୍ଗେର ମାଉଜରରେ ବଡବଡ଼ିଆଙ୍କ ଗଡ଼ିଥାନ୍ତା ମୁଣ୍ଡ । ବୟାଳିସ ମୌଜା ଲିଙ୍କ ପରେ ବିହାର ଗଲା ସ୍ପେଶାଲ ଟାସ୍କଫୋର୍ସ। ମେ’ ୪ ରେ ୧୭ ବନ୍ଧୁକ ଆଉ ମେ’ ୧୩ ରେ ୮ ବନ୍ଧୁକ । ସପ୍ତାହ ବ୍ୟବଧାନରେ ୨୫ ବନ୍ଧୁକ ସହ ୩୮ ହାର୍ଡକୋର ଗିରଫ ପରେ ଗଞ୍ଜାମରେ ଏବେ ପଡିଛି ଚହଳ । ସହରରେ ବେତାଜ ବାଦଶାହ ବନିବା ପାଇଁ ଅଣ୍ଟାରେ ମେସିନ ଖୋସି ବୁଲୁଥିଲେ । ଜମି ହଡପ, ବୋମାମାଡ଼, ଲୁଟ, ଠିକାଦାରୀ , ମଦ ଡିଲ କରିବା ପାଇଁ ଗ୍ୟାଙ୍ଗ ଗଢୁଥିଲେ। ରାଜନେତାଙ୍କ ଛତ୍ରଛାୟାରେ ରହି ମୋଷ୍ଟ ୱାଣ୍ଟେଡ ଅପରାଧୀ ଆଲୋକ ପ୍ରଧାନ ‘ଗ୍ୟାଙ୍ଗସ ଅଫ ଗଞ୍ଜାମ’ ର ଲିଡ଼ର ବନିଥିଲା । ଆଉ ସେହି ଲିଡରକୁ ଧରିବା ପାଇଁ ବିହାର ଗସ୍ତ କରିଛି କ୍ରାଇମବ୍ରାଞ୍ଚର STF । ଆଲୋକ ବିହାରରେ ଲୁଚିଥିବା ଖବର ପାଇଛି STF । ମୁଙ୍ଗେରରୁ ବନ୍ଧୁକ ଆଣି ୮୦ ହଜାର ଟଙ୍କାରେ ଗଞ୍ଜାମରେ ବିକ୍ରି କରୁଥିଲା ଆଲୋକ। ମୁଙ୍ଗେର ବନ୍ଧୁକର ଛାଞ୍ଚ, କଟକ ବୟାଳିସ ମୌଜାରେ ପଡୁଥିବା ଖବର ପାଇବା ପରେ ତଦନ୍ତକୁ ବ୍ୟାପକ କରିଛି STF ।
ସେପଟେ ଗତକାଲି ପୋଲସରା, ଆସିକା, କୋଟିନଡ଼ା , ହିଁଜିଳି ଥାନା ଇଲାକାରୁ ଗିରଫ ୨୦ ଅଭିଯୁକ୍ତଙ୍କ ମଧ୍ୟରୁ ଅନେକ ଥିଲେ ପୋଲିସର ହିଟ ଲିଷ୍ଟରେ। ଗିରଫ ଅଭିଯୁକ୍ତଙ୍କ ଭିତରୁ ଜଣେ ସୁରଟର ମୋଷ୍ଟ ୱାଣ୍ଟେଡ ବୋଲି ଜାଣିବାକୁ ପାଇଛି ପୋଲିସ । ଆଲୋକକୁ ଏମାନଙ୍କ ଭିତରୁ ଅନେକ ଗଡ଼ଫାଦର ଭାବେ ମାନୁଥିଲେ । ଆଉ ଗଞ୍ଜାମ ପାଇଁ ଶିବ ଜେନା ନାମକ କ୍ରିମିନାଲକୁ ଦାୟିତ୍ଵ ଦେଇ ବନ୍ଧୁକ ବେପାରକୁ ସାରା ଓଡ଼ିଶାରେ ବଢାଇବାକୁ ଲାଗିଥିଲା ଆଲୋକ। ତେବେ ଏଠାରେ ପ୍ରଶ୍ନ ଉଠୁଛି , କିଏ ସେହି ବାହୁବଳୀ ? କାହା ଛତ୍ରଛାୟାରେ ଗଞ୍ଜାମରେ ଗଢିଉଠୁଥିଲା ଗ୍ୟାଙ୍ଗ ? ମୁଙ୍ଗେରରୁ ମିସ୍ତ୍ରୀ ଓ କୋଲକାତାରୁ କାରିଗର ଆଣିବାରେ କାହାର ଥିଲା ହାତ ? କେବଳ ଗଞ୍ଜାମ ନୁହେଁ, ସାରା ଓଡ଼ିଶାରେ ଏବେ ବଢ଼ିବାରେ ଲାଗିଛି ବନ୍ଧୁକ କାରବାର । ମୁଣ୍ଡକୁ ପିତ୍ତ ଚଢ଼ିଗଲେ ସହରରେ ଘନ ଘନ ଗୁଳି ଫୁଟୁଥିବା ଶବ୍ଦ ପୋଲିସର ପାରିବାପଣିଆ ପ୍ରତି ସୃଷ୍ଟି କରିଛି ପ୍ରଶ୍ନବାଚୀ।