ଜୁନ୍ ଶେଷ ସୁଦ୍ଧା ସମସ୍ତ ପଞ୍ଚାୟତରେ ହେବ ଦିବ୍ୟାଙ୍ଗ ଶକ୍ତି ଗ୍ରୁପ

ଭୁବନେଶ୍ବର : ପ୍ରତି ଗାଁରେ ଗଢାହେବ ଦିବ୍ୟାଙ୍ଗ ଶକ୍ତି ଗ୍ରୁପ। ଜୁନ୍ ଶେଷ ସୁଦ୍ଧା ସମସ୍ତ ପଞ୍ଚାୟତରେ ହେବ ଦିବ୍ୟାଙ୍ଗ ଶକ୍ତି ଗ୍ରୁପ । ମେ ଶେଷ ସୁଦ୍ଧା ସବୁ ଗାଁରେ ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରାଯାଇ ତାଲିକା ପ୍ରସ୍ତୁତ ହେବ। ନିଜ ନିଜର ଦକ୍ଷତା ଅନୁସାରେ ସେମାନଙ୍କ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବ ପଞ୍ଚାୟତିରାଜ ବିଭାଗ। ଏହା କାର୍ଯ୍ୟକାରୀ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ସାମାଜିକ ସୁରକ୍ଷା ବିଭାଗ। ମହାତ୍ମାଗାନ୍ଧୀ ନରେଗା ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ୧୦୦ ଦିନର କାମ ସୁନିଶ୍ଚିତ କରାଯିବ। ପଞ୍ଚାୟତରେ ଥିବା ସମସ୍ତ ଦିବ୍ୟାଙ୍ଗମାନଙ୍କୁ ଜବ୍ କାର୍ଡ ପ୍ରଦାନ କରାଯିବ। ଏଥିପାଇଁ ପଞ୍ଚାୟତିରାଜ ବିଭାଗ ଏକ ସ୍ବତନ୍ତ୍ର ଏସଓପି ପ୍ରସ୍ତୁତ କରିଛି। ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ସମ୍ମାନର ସହ ସମ୍ବୋଧିତ କରିବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି। ଏହା ବାଦ୍ କାର୍ଯ୍ୟକ୍ଷେତ୍ରରେ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ଥାଇ କ୍ରେଚ କରାଯିବ। ଆବଶ୍ୟକ ପଡ଼ିଲେ ଜଣେ ମହିଳା ଦିବ୍ୟାଙ୍ଗଙ୍କୁ ସହାୟକ ଭାବେ ନିୟୋଜିତ କରାଯିବ। ମହିଳା ଦିବ୍ୟାଙ୍ଗମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଥିବା ଶ୍ରମିକମାନଙ୍କୁ ଜଳ ଯୋଗାଣ କରିବେ।
ଦିବ୍ୟାଙ୍ଗ ଶକ୍ତି ଗ୍ରୁପ ଗଠନ ଠାରୁ ଆରମ୍ଭ କରି ଦିବ୍ୟାଙ୍ଗମାନଙ୍କୁ କାମ ଯୋଗାଇବା କାମର ନିୟମିତ ତଦାରଖ କରିବେ ଜିଲ୍ଲାପାଳ। ଏଥିପାଇଁ ବିଭିନ୍ନ ସ୍ତରରେ ପ୍ରଚାର ପ୍ରସାର କରାଯିବା ସହ ଏନଜିଓମାନଙ୍କୁ ସାମିଲ କରାଯିବ । ହେଲେ ସରକାରଙ୍କ ଯୋଜନା ବାସ୍ତବତା ଠାରୁ ଅନେକ ଦୂରରେ ବୋଲି ବିଜେଡି କହିଛି । ନରେଗା ଯୋଜନାରେ ଲୋକଙ୍କ ବଦଳରେ ମେସିନ କାମ କରୁଛି । ଗାଁ ଗଣ୍ଡାରେ ଲୋକଙ୍କୁ କାମ ମିଳୁନଥିବା ବେଳେ ଦିବ୍ୟାଙ୍ଗମାନଙ୍କ ପାଇଁ ୧୦୦ ଦିନର କାମ ଯୋଗାଇବା ଅବାସ୍ତବ। କେବଳ ନିଜର ପ୍ରଚାର କରିବାକୁ ଏହି ଯୋଜନା ଆସିଛି ବୋଲି ବିଜେଡି କହିଛି । ତେବେ ସରକାରଙ୍କ ଏହି ଯୋଜନା ବହୁ ଆଡମ୍ବରେ ଲଘୁ କ୍ରିୟାରେ ପରିଣତ ହେବନି ତ ?