‘ଜୁନ୍ ୨୮ରୁ ଜୁଲାଇ ୬ ଯାଏଁ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି’

ପୁରୀ: ଆସନ୍ତା ଜୁନ୍ ୨୮ରୁ ଜୁଲାଇ ୬ ତାରିଖ ମଧ୍ୟରେ ଗର୍ଭଗୃହ, ବାହାର ରତ୍ନଭଣ୍ଡାର ମରାମତି ହେବ । ଏହି ସମୟରେ ବିଶେଷ କରି ବାହାର ରତ୍ନଭଣ୍ଡାର ମରାମତି କରାଯିବ । ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ ହୋଇଯାଇଛି । କେବଳ ଚଟାଣ କାମ ବାକି ଅଛି । ବାକି ରହିଥିବା ଚଟାଣ କାର୍ଯ୍ୟ କରାଯିବା ସହ ବାହାର ରତ୍ନଭଣ୍ଡାରେ ଷ୍ଟେନଲେସ ବିମ୍ ଲଗାଯିବ । ଏହାସହ ନଷ୍ଟ ହୋଇଥିବା ସମସ୍ତ ପଥର ମଧ୍ୟ ପରିବର୍ତ୍ତନ କରାଯିବ । ପୂର୍ବରୁ ଭିତର ରତ୍ନ ଭଣ୍ଡାରରେ ୯ଟି ଷ୍ଟେନଲେସ ବିମ ଲାଗି ସାରିଥିବା ବେଳେ ମୋଟ ୨୭୭ ପଥର ପରିବର୍ତ୍ତନ କରାଯାଇଛି । ସେଥି ମଧ୍ୟରୁ ୧୪୮ ଟି ପଥର ଭିତର ରତ୍ନଭଣ୍ଡାରରେ ଲାଗିଛି । ରତ୍ନଭଣ୍ଡାର ସହ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଏନେଇ ହୋଇଛି ନିଷ୍ପତ୍ତି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ବୈଷୟିକ କୋର କମିଟି ସଦସ୍ୟ ଏନ୍ ସି ପାଲଙ୍କ ସମେତ ସୁପରିଟେଣ୍ଡଣ୍ଟ ଆର୍କୋଲୋଜିଷ୍ଟି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ତେବେ ପୂର୍ବ ନିଷ୍ପତି ଅନୁଯାୟୀ ଏପ୍ରିଲ ୨୯ ରୁ ଜୁନ୍ ୨୭ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିଛି । ତେବେ ଏହି ସମୟ ମଧ୍ୟରେ ବାହାର ରତ୍ନଭଣ୍ଡାରର ବାକି ଥିବା ଅନ୍ୟାନ୍ୟ କାର୍ଯ୍ୟ ଶେଷ କରିବା ନେଇ ବୈଠକରେ ନିଷ୍ପତି ହୋଇଛି । ଭଣ୍ଡାର ଘରର ଭିତର ଦ୍ୱାରକୁ ସୁନା ଛାଉଣୀ କରିବା ପାଇଁ ପ୍ରସ୍ତାବ ରହିଥିବା ବେଳେ ବାହାର ଦ୍ୱାରକୁ ରୁପା ଛାଉଣୀ କରାଯିବ । ଏ ନେଇ ପରବର୍ତ୍ତୀ ସମୟରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ୨୦୨୪ ଡିସେମ୍ବର ୧୭ ରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୪ମାସ ମଧ୍ୟରେ ସମୁଦାୟ ୧୯୩ ଘଣ୍ଟା ୫ ମିନିଟ କାର୍ଯ୍ୟ କରାଯାଇଥିଲା ।