ସାବାଡ଼ ହେବେ ସାଇବର ଅପରାଧୀ, ରାଜ୍ୟରେ ଖୋଲିବ ଆଉ ୨୦ ସାଇବର ଥାନା

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢ଼ି ଚାଲିଥିବା ସାଇବର ଅପରାଧରେ ବ୍ରକ ଲଗାଇବାକୁ ଓଡ଼ିଶା ପୋଲିସର ବଡ଼ ପ୍ରସ୍ତୁତି । ରାଜ୍ୟରେ ଖୋଲିବ ଆଉ ୨୦ ସାଇବର ଥାନା । ୩୪ ପୋଲିସ ଜିଲ୍ଲାର ସମସ୍ତ ଥାନାରେ ରହିବେ ଜଣେ ଜଣେ ସାଇବର ଏକ୍ସପର୍ଟ ।

ସେପଟେ ସାଇବର ସୈତାନଙ୍କୁ ସାବାଡ଼ ପାଇଁ ଡିଜିପିଙ୍କ ଟ୍ରେନିଂ ପ୍ରୋଗ୍ରାମ । ୪ ଦିନ ପାଇଁ ସାଇବର ପାଠ ପଢ଼େଇବେ ଏକ୍ସପର୍ଟ । କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଡିଏସପି ରାଙ୍କର ଅଫିସରଙ୍କୁ ଦିଆଯିବ ଏହି ତାଲିମ । ୨୦୨୪ ମସିହାରେ ସାଇବର ହେଲ୍ପଲାଇନ ନମ୍ବର ୧୯୩୦ରୁ ମୋଟ ସାଢ଼େ ୬ ଲକ୍ଷ ଫୋନ କଲ ଆସିଛି । ଏହାସହ ସାଇବର ଥାନା ଓ ନିକଟସ୍ଥ ଥାନାରେ ହୋଇଥିବା ଅଭିଯୋଗର ତଥ୍ୟ ଅଲଗା । ଏଥିମଧ୍ୟରୁ ୩୮ ହଜାରରୁ ଅଧିକ ଲୋକେ ଆର୍ଥିକ ଠକେଇର ଶିକାର ହୋଇଛନ୍ତି । ମୋଟ ୩୭୬ କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡିଛି । ୩୭ କୋଟି ଟଙ୍କା ବ୍ଲକ କରିବାରେ ପୋଲିସ ସଫଳ ହୋଇଥିବା ବେଳେ ମାତ୍ର ୪ କୋଟି ଟଙ୍କା ଫେରି ପାଇଛନ୍ତି ଲୋକେ ।

ସେହିପରି ଗତ ଏପ୍ରିଲ ମାସ ସୁଦ୍ଧା ୧୪ ହଜାର ଅଭିଯୋଗ ପାଇଛି ପୋଲିସ । ଯେଉଁଥିରେ ୧୧୦ କୋଟିରୁ ଅଧିକ ଟଙ୍କା ଠକି ନେଇଛନ୍ତି ସାଇବର ଠକ । ଏଥିରେ ପୋଲିସ ମାତ୍ର ୧୨ କୋଟି ବ୍ଲକ କରି ପାରିଥିବା ବେଳେ, ଦେଢ କୋଟି ଟଙ୍କା ଫେରାଇଛି ।