ପରିଚାଳନା କମିଟି ବିନା ପ୍ରସ୍ତୁତ ହେଲା ରଥଯାତ୍ରା ନୀତି ନିର୍ଘଣ୍ଟ, ଭାଙ୍ଗିଲା ଶ୍ରୀମନ୍ଦିର ପ୍ରଶାସନ ପରମ୍ପରା
1 min read
ନନ୍ଦିଘୋଷ ବ୍ୟୁରୋ: କୋଟି କୋଟି ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିରର ନୀତି ନିୟମକୁ ମୋଡି ମକଚି ଦଳି ଦେଲେ । ବିନା ପରିଚାଳନା କମିଟିରେ ରଥଯାତ୍ରାର ବ୍ୟବସ୍ଥାବଳି ପ୍ରସ୍ତୁତରେ ଲାଗି ପଡିଛନ୍ତି ସରକାର। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କଠାରୁ ଆରମ୍ଭ କରି ସେବାୟତ ଝାଡ଼ିଛନ୍ତି ଅସନ୍ତୋଷ । ନିୟମ ବାହାରେ କାର୍ଯ୍ୟ ଓ ଏଭଳି ହେବା ଦ୍ୱାରା ଆଗାମୀ ଦିନରେ ବଡ଼ ବିଭ୍ରାଟକୁ ଏଡାଇ ଦିଆଯାଇ ନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ଶ୍ରୀମନ୍ଦିର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ପରିଚାଳନା କମିଟି ବିନା ଚାଲିଛି ରଥଯାତ୍ରା ପ୍ରସ୍ତୁତି । ସମ୍ପୂର୍ଣ୍ଣ ଏକ ପାଖିଆ ଭାବେ ସବୁ ନୀତି ନିୟମକୁ ପାଦରେ ଦଳି ଶ୍ରୀମନ୍ଦିରର କାର୍ଯ୍ୟକୁ ଜୋର ଜବରଦସ୍ତ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ବଢିଛି । ଧାରା ୫ ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟିରେ ୧୮ ଜଣ ସଦସ୍ୟ ରହିବେ । ଗଜପତି ମହାରାଜ କମିଟିର ଅଧ୍ୟକ୍ଷ ରହିବା ସହ ଶ୍ରମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଆଇନ ବିଭାଗ ସଚିବ, ଦେବୋତ୍ତର କମିଶନର, ପାଞ୍ଚ ଜଣ ସେବକଙ୍କ ସମେତ ମଠ, ମୁକ୍ତି ମଣ୍ଡପ ତଥା ଚଟାର୍ଡ ଆକାଉଣ୍ଟାଣ୍ଟ ରହିବା କଥା । ଗତ ବର୍ଷ ସେପ୍ଟେମ୍ବର ମାସରୁ ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଏ ଯାଏଁ ନୂଆ ପରିଚାଳନା କମିଟି ଗଠନ ନକରି ଏକ୍ସ ଅଫିସିଓ ସଦସ୍ୟଙ୍କୁ ନେଇ ରଥଯାତ୍ରା ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଛି । ଯାହା କି ଆଦୌ ଗ୍ରହଣୀୟ କିମ୍ବା ଆଇନ ସମ୍ମତ ନୁହେଁ ବୋଲି କୁହାଯାଇଛି । ବୈଠକକୁ ଏକପାଖିଆ ନିଷ୍ପତ୍ତି ବୋଲି କହିଛନ୍ତି ପୂର୍ବ ଶ୍ରୀମନ୍ଦିର ପ୍ରଶାସକ । ଶ୍ରୀମନ୍ଦିରର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପରିଚାଳନାରେ ଏହା ବିଭ୍ରାଟ ସୃଷ୍ଟି କରିପାରେ । ଜଗନ୍ନାଥ ସଂସ୍କୃତି ଗବେଷକ ମଧ୍ୟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ନଥାଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଯେଉଁଥିରେ ରଥଯାତ୍ରା ନୀତି ନିର୍ଘଣ୍ଟ ସହ ଅନ୍ୟାନ୍ୟ ବ୍ୟବସ୍ଥାବଳୀ ସମ୍ପର୍କରେ ଆଲୋଚନା ହୋଇଛି । ବିନା ପରିଚାଳନା କମିଟିରେ କୌଣସି ଆର୍ଥିକ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ । ବ୍ୟବସ୍ଥା ଅନୁଯାୟୀ ଏହି କମିଟି ଅନୁମୋଦନ ନ ଦେଲେ ଆର୍ଥିକ କାର୍ଯ୍ୟକୁ ଗ୍ରହଣ କରାଯାଇ ପାରିବ ନାହିଁ । ପରିଚାଳନା କମିଟି ନଥିବାରୁ ଶ୍ରୀମନ୍ଦିର ପ୍ରଶାସନର ଆଜି ସ୍ଵତନ୍ତ୍ର ବୈଠକ ବସିଥିଲା । ଏଥିରେ ପରିଚାଳନା କମିଟିର ଏକ୍ସ-ଅଫିସିଓ ସଦସ୍ୟମାନେ ଯୋଗ ଦେଇଥିଲେ । ତେବେ ଏଭଳି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବ ରଥଯାତ୍ରା ସମୟରେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀମନ୍ଦିରରେ ବିଭ୍ରାଟ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ନିୟମ ବାହାରକୁ ଯାଇ ବିନା ପରିଚାଳନା କମିଟିରେ ଏଭଳି ନିଷ୍ପତ୍ତି ସ୍ଥିତିକୁ ଜଟିଳ କରିଛି ।