ଆଧୁନିକ ଯନ୍ତ୍ରପାତି ନୁହେଁ, ପାରମ୍ପରିକ ମାପରେ ଚାଲିଛି ରଥ କାମ

ପୁରୀ : ମହାପ୍ରଭୁଙ୍କ ଦିବ୍ୟରଥ ଯେତିକି ଆକର୍ଷଣୀୟ ଏହାର ନିର୍ମାଣ ଶୈଳୀ ସେତିକି ଚମତ୍କାର । ଯେଉଁଠି ବଡ଼ ବଡ଼ ଇଞ୍ଜିନିୟର ଫେଲ ମାରନ୍ତି ସେଠି ପାରମ୍ପରିକ କାଠି ଓ ଆଙ୍ଗୁଳି ମାପରେ ଏହାକୁ ନିର୍ମାଣ କରନ୍ତି ମହାରଣା କାରିଗର । କୌଣସି ଆଧୁନିକ ଯନ୍ତ୍ର ବ୍ଯବହାର ନକରି ନିହାଣ, ବାରିସି ଓ କୋରା ମୁଣ୍ଡାରେ ନିର୍ମାଣ ହୁଏ ବିଶାଳ ରଥତ୍ରୟ । ଏଥିପାଇଁ ଅକ୍ଷୟ ତୃତୀୟ ଠାରୁ ପୁରୀ ରଥଖଳାରେ ପୂଜାର୍ଚ୍ଚନା କରି ନିର୍ମାଣ କରନ୍ତି ମହାରଣା ସେବାୟତ । ମହାପ୍ରଭୁଙ୍କ ଆଜ୍ଞା ଓ ଆଶୀର୍ବାଦ ଯୋଗୁଁ ଏହା ସମ୍ଭବ ହୋଇ ପାରୁଥିବା କହନ୍ତି କାରିଗର । ଶ୍ରୀଜିଉଙ୍କ ଇଛାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାମ ସରିବ ବୋଲି ଆଶା ରଖିଛନ୍ତି ମହାରଣା ।
ଇଞ୍ଜିନିଅର ଓ ଶିଳ୍ପୀ କାରିଗର ମାନେ ରଥ ନିର୍ମାଣ ପ୍ରକ୍ରିୟା ଦେଖିଥିବା ସତ୍ୱେ ସଫଳ ହୋଇନାହାନ୍ତି ।ପାରମ୍ପରିକ ମାପ ଚୁପକୁ ନେଇ ମହାରଣା ମାନେ ପିଢ଼ି ପରେ ପିଢ଼ି ଏବେବି ରଥ ନିର୍ମାଣ କରୁଛନ୍ତି । ପୂର୍ବପୁରୁଷଙ୍କ ଶିକ୍ଷା ତଥା ସୁତା ବାଡିଆ ନୀତିକୁ ନେଇ ହାତ କାଠି ମାପ ଦ୍ୱାରା ରଥ ନିର୍ମାଣ ସଫଳ ହେଇଛି । ଏବେ ରଥଯାତ୍ରା ପାଖେଇ ଆସିଥିବାରୁ ଜୋରସୋର ଚାଲିଛି ନିର୍ମାଣ କାମ । ଚକ କାମ ସାରି ଅଖ ଓ ଦଣ୍ଡା ନିର୍ମାଣ କରୁଛନ୍ତି କାରିଗର । ରଥ ନିର୍ମାଣରେ ପାରମ୍ପରିକ ମାପ ବ୍ଯବହାର କରାଯାଉଥିବାବେଳେ କାଠ କାଟିବା ପାଇଁ କିଛିବର୍ଷ ହେଲା ସମିଲକୁ ପଠାଯାଉଛି ।