ରାଜ୍ୟରୁ ଚିହ୍ନଟ ସମସ୍ତ ୫ କୋଭିଡ ରୋଗୀ ଖୋର୍ଦ୍ଧା ଜିଲ୍ଲାର

1 min read

ଭୁବନେଶ୍ବର : ଧୀରେ ଧୀରେ ଖୋର୍ଦ୍ଧା ଜିଲ୍ଲା କୋଭିଡ ସ୍ପଟ ପାଲଟୁଛି । ଏବେଠାରୁ ପ୍ରତିକାର ବ୍ୟବସ୍ଥା କରାନଗଲେ ଖୋର୍ଦ୍ଧା ଜିଲ୍ଲା ହଟସ୍ପଟ ପାଲଟିବାର ଆଶଂକା ରହିଛି । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରୁ ହିଁ ୫ ଜଣ କୋଭିଡ ରୋଗୀ ଥିବା ରିପୋର୍ଟ ହୋଇଛି । ପର୍ବରୁ ଦିଲ୍ଲୀରୁ ଭୁବନେଶ୍ବର ଫେରିଥିବା ଜଣେ ୭୬ ବର୍ଷ ବୟସ୍କ କୋ-ମରବିଡ ରୋଗୀଙ୍କ ଶରୀରରେ କୋଭିଡ ଚିହ୍ନଟ ହୋଇଥିଲା । ଜେନମ ସିକୁଏନସିଂରୁ ଜଣା ପଡ଼ଛି ଯେ ତାହା ଓମିକ୍ରନର ସବ ଭାରିଆଣ୍ଟ ଜେଏନ-୧ । ତେବେ ଆଜି ଆଉ ଚାରି ଜଣ ସନ୍ଦିଗ୍ଧଙ୍କ ଖବର ମିଳିଛି । ଚହ୍ନଟ ହୋଇଥିବା ରୋଗୀଙ୍କ ଭିତରୁ ଜଣେ ମହିଳା ଅଛନ୍ତି । ନୂଆ ରୋଗୀଙ୍କ ଭିତରୁ ତିନି ଜଣ ଭୁବନେଶ୍ବରର ହୋଇଥିବାବେଳେ ଜଣେ ଜଟଣୀରେ ରୁହନ୍ତି । ଜଟଣୀରୁ ଚିହ୍ନଟ ହୋଇଥିବା କୋଭିଡ ରୋଗୀଙ୍କ ଆଣ୍ଟିଜେନ ପରୀକ୍ଷା ହୋଇଛି । ତେବେ ଖୁବ୍ ଶୀଘ୍ର ଏହି ୪ ଜଣଙ୍କ ଆରଟିପିସିଆର ସହ ଜେନମ ସିକୁଏନସିଂ କରାଯିବ । ବହୁ ବର୍ଷରୁ ଆଣ୍ଟିଜେନ କିଟ କାର୍ଯ୍ୟକାରୀ ହୋଇ ନଥିବାରୁ ଏହାର ଗୁଣବତ୍ତା ପରୀକ୍ଷା ପାଇଁ ଏହାକୁ ଆରଏମଆରସି ପଠାଇଛି ସ୍ବାସ୍ଥ୍ୟ ବିଭାଗ । ସେପଟେ ଦେଶରେ କୋଭିଡ ବଢୁଛି । ଏହାକୁ ଦୃଷ୍ଟିରେ ରଖି ଆଜି ସ୍ବାସ୍ଥ୍ୟ ସଚିବ ସବୁ ରାଜ୍ୟମାନଙ୍କ ସହ ବୈଠକ ଡ଼କାଇ ଥିଲେ । ହେଲେ ହଠାତ୍ ଏହାକୁ ସ୍ଥଗିତ ରଖାଯାଇଥିବାରୁ କୌଣସି ନୂଆ ମାର୍ଗଦର୍ଶିକା ଆସି ପାରିଲା ନାହିଁ । ତେବେ ରାଜ୍ୟର କୋଭିଡ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ସଚିବ ।

ଓମିକ୍ରନର ସବ ଭାରିଆଣ୍ଟ ଜେଏନ-୧ର ବିଭିନ୍ନ ଲକ୍ଷଣ ରହୁଛି । ଭୋକ ନ ଲାଗିବା, ଜ୍ବର, ଥଣ୍ଡା, ଗଳାରେ ସଂକ୍ରମଣ, ଶୁଖିଲା କାଶ, ମୁଣ୍ଡ ବିନ୍ଧା, ଗ୍ୟାସ୍ଟ୍ରିକ, ବାନ୍ତି, ନାକରୁ ପାଣି ବାହାରିବା ଲକ୍ଷଣ ଦେଖାଦେଉଛି । ଏହା ସେତେଟା ମାରାତ୍ମକ ନ ହୋଇଥିଲେ ସୁଦ୍ଧା ଲକ୍ଷଣ ଦେଖା ଦେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଚଳିତ ମାସ ଦକ୍ଷିଣ-ପୂର୍ବ ଏସିଆରେ କୋଭିଡ ସ୍ଥିତି ଅଣାୟତ୍ତ କରିଛି । ଏପ୍ରିଲ ମାସରେ ଥାଇଲାଣ୍ଡରେ ସଂଗକ୍ରାନ ପର୍ବ ହୋଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିବାରୁ ସଂକ୍ରମଣ ବୃଦ୍ଧି ପାଇଥିଲା । ଓଡ଼ିଶାରେ ବି ପାଖେଇ ଆସିଲାଣି ରଥଯାତ୍ରା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏହା ପୂର୍ବରୁ କୋଭିଡକୁ ମାତ ନ ଦିଆଗଲେ, ରଥଯାତ୍ରାରେ ବି ସଂଗକ୍ରାନ ପରି ସଂକ୍ରମଣ ଯୋଗୁଁ ବିସ୍ଫୋରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।