ଠାକୁରାଣୀ ଯାତ୍ରା ପାଇଁ ଉତ୍ସବମୁଖର ବାଲିଗୁଡ଼ା ସହର

ବାଲିଗୁଡା : ଠାକୁରାଣୀ ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହର । ମନ୍ଦିର ଛାଡ଼ି ଅସ୍ଥାୟୀ ପୀଠରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡା । ସାହି ସାହି ବୁଲି ଭକ୍ତଙ୍କ କଷ୍ଟ ଲାଘବ କରୁଛନ୍ତି । ରୀତିନୀତି ଅନୁସାରେ ପ୍ରତ୍ୟେକ ଦିନ  ମା’ଙ୍କର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସକାଳ ଧୂପ, ଦ୍ଵାରଫିଟା ପରେ ଦିନ ତମାମ ମା’ଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ଆଳତୀ ପରେ ନିର୍ଦ୍ଧାରିତ ସାହିକୁ ମା’ ପାଟ୍ଟଖଣ୍ଡା ଚାରି ଭଉଣୀ ମା’ ବରାଳ ଦେବୀ, ମା ଡେଙ୍ଗିଶିଳୀ, ମା’ ଦୂର୍ଗା, ମା’ ମହାମାୟାଙ୍କୁ ସାଙ୍ଗରେ ଧରି ନଗର ଭ୍ରମଣରେ ବାହାରିଥିଲେ । ଶେଷ ଦିନରେ ବିରାଟ ପଟୁଆରରେ ମା’ ଆଚାର୍ଯ୍ୟ କଲୋନୀ ଭ୍ରମଣ କରିଥିଲେ । ମା’ ପାଟ୍ଟଖଣ୍ଡାଙ୍କୁ ଝିଅ ରୂପେ ପାଇ ଦାୟିତ୍ଵ ତୁଲାଇ ଗର୍ବ ଅନୁଭବ କରିଛନ୍ତି ଶ୍ରୀନିବାସ ଦୋରା ।

ରାଜାରାଜୁଡ଼ା ସମୟରୁ କନ୍ଧମାଳ ଜିଲ୍ଲାରେ ପୂଜା ପାଇଆସୁଛନ୍ତି ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡା । ବାଲିଗୁଡ଼ା ସହରର ମୁଖ୍ୟ ବଜାରର ମଧ୍ୟ ଭାଗରେ ରହିଛି ମା’ଙ୍କ ପୀଠ । କ୍ଷତ୍ରୀୟ ବଂଶର ପାତ୍ର ଲୋକେ ମା’ଙ୍କ ପୂଜାର୍ଚ୍ଚନା କରିଥାନ୍ତି । ଗତ କିଛିବର୍ଷ ହେବ ଅଞ୍ଚଳବାସୀଙ୍କ ସହଯୋଗରେ ମା’ ପାଟ୍ଟଖଣ୍ଡା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଠାକୁରାଣୀ ଯାତ୍ରା ପାଳନ କରାଯାଉଛି । ଗତ ମେ’ ମାସ ୬ ତାରିଖରୁ ଜୁନ୍ ୬ ତାରିଖ ଯାଏଁ ମା’ଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇଥିଲା । ରଙ୍ଗିନ୍ ଆଲୋକ ମାଳାରେ ସଜେଇ ହୋଇଥିଲା ବାଲିଗୁଡ଼ା ସହର । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ପନ୍ନ ହୋଇଛି ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା । ପୁଣି ଅପେକ୍ଷା ଆଉ ତିନିବର୍ଷ । ମା’ ପାଟ୍ଟଖଣ୍ଡା ପୁଣି ମନ୍ଦିର ଛାଡ଼ି ବାପଘରକୁ ଆସି ସାହି ବୁଲି ଭକ୍ତଙ୍କ କଷ୍ଟ ଲାଘବ କରିବେ ।