କଳା ତାଲିକାଭୁକ୍ତ କମ୍ପାନୀକୁ ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପା

ସୁନ୍ଦରଗଡ଼ରୁ / ଭୁବନେଶ୍ବର : ସୁନ୍ଦରଗଡ଼ରେ ଫେଲ, କଳାହାଣ୍ଡିରେ ପାସ୍। ୩୦ କୋଟି ଟଙ୍କାର କାମ କରିବାରେ ବିଫଳ କମ୍ପାନୀକୁ ୩ହଜାର ୬୪୨ କୋଟି ଟଙ୍କାର ଉପହାର। ରାଜ୍ୟ ସରକାରଙ୍କ ଅଜବ ନୀତିକୁ ବିରୋଧୀଙ୍କ ସମାଲୋଚନା। ଜିଲ୍ଲା ଖଣିଜ ପାଣ୍ଠି ୩୦କୋଟି ଟଙ୍କା ଦେଇଥିଲା ସୁନ୍ଦରଗଡ଼ର ବିଜୁଳି ବନ୍ଧ ପୋଖରୀରେ ସୌନ୍ଦର୍ଯ୍ୟକରଣ ଯୋଜନା ପାଇଁ। କାମର ଦାୟିତ୍ବ ନେଇଥିଲା କେନ୍ଦ୍ର ସରକାରଙ୍କ ପିଏସୟୁ ଓ୍ବାଟର ଏଣ୍ଡ ପାଓ୍ବାର କର୍ପୋରେସନ ବା ଓ୍ବାପକସ୍। ହେଲେ କମ୍ପାନୀ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାମ ସାରିପାରିଲା ନାହିଁ। କାମ କରିପାରିନଥିବାରୁ ରାଜ୍ୟ ସରକାର ଏହି କମ୍ପାନୀକୁ କଳାତାଲିକା ଭୁକ୍ତ କରିଦେଲେ। ଅଗଷ୍ଟ ୨୦୨୪ରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାସଭାରେ ଏଭଳି ତଥ୍ୟ ରଖିଥିଲେ। ହେଲେ ଏହି ଅପାରଗ କମ୍ପାନୀକୁ ଶକ୍ତି ବିଭାଗ ଏବେ ୩ହଜାର ୬୪୨ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛି। କଳାହାଣ୍ଡିର ମୁଖିଗୁଡ଼ା ଡ଼୍ୟାମ ଓ ଅପର ଇନ୍ଦ୍ରାବତୀ ଡ଼୍ୟାମ ମଧ୍ୟରେ ପମ୍ପଡ଼୍ ଷ୍ଟୋରେଜ ପ୍ରକଳ୍ପ ଜରିଆରେ ୬୦୦ ମେଗାଓ୍ବାଟ ବିଜୁଳି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଯେଉଁ କମ୍ପାନୀ ୩୦ କୋଟିର ବିଜୁଳି ବନ୍ଧ ପୋଖରୀ ଉନ୍ନତିକରଣ ଯୋଜନା କାର୍ଯ୍ୟକାରୀ କରିବାରେ ବିଫଳ ହେଲା, ସେହି କମ୍ପାନୀ କିପରି ୩ ହଜାର ୬୪୨ କୋଟି ଟଙ୍କାର ବିଜୁଳି ଉତ୍ପାଦନ ପ୍ରକଳ୍ପ କାମ କରିବ, ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ସରକାରଙ୍କ ଗୋଟିଏ ବିଭାଗ ଦ୍ବାରା କଳା ତାଲିକାଭୁକ୍ତ ହୋଇଥିବା କମ୍ପାନୀ ଆଉ ଗୋଟିଏ ବିଭାଗରେ କିପରି ବିଶ୍ବାସଯୋଗ୍ୟ ହୋଇପାରୁଛି, ତାକୁ ନେଇ ପ୍ରଶ୍ନ କରିଛନ୍ତି ବିରୋଧୀ। ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏପରିକି ଏହି କମ୍ପାନୀକୁ ପମ୍ପଡ଼୍ ଷ୍ଟୋରେଜ ପ୍ରକଳ୍ପରୁ ଦୂରେଇ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି। ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ମଧ୍ୟ ସରକାରଙ୍କ ଦୋମୁହାଁ ନୀତିକୁ ସମାଲୋଚନା କରିଛି। ସରକାରରେ ଘଡ଼ିକେ ଘୋଡ଼ା ଛୁଟୁଛି। ୧୦ ମାସ ତଳେ ସରକାର ପାଇଁ ଖରାପ କାମ କରୁଥିବା କମ୍ପାନୀ ଏବେ ସରକାରଙ୍କ ଗେହ୍ଲାପୁଅ ସାଜିଛି। ୩୦କୋଟି ଟଙ୍କାର କାମ କରିବାରେ ଅସମର୍ଥ କମ୍ପାନୀକୁ ସରକାର ସାଢେ ୩ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଟେକିଦେବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।