ସରକାରଙ୍କ ବାହାସ୍ଫୋଟ ପର୍ଦ୍ଦାଫାସ କଲା ରାଜ୍ୟ ବ୍ୟବସାୟୀ ମହାସଂଘ

ଭୁବନେଶ୍ୱର : ରାଜ୍ୟରେ ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି ନେଇ ରାଜ୍ୟ ସରକାର କରୁଛନ୍ତି ପ୍ରଚାର। ହେଲେ  ଉତ୍ପାଦନର ସତକୁ ନେଇ ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଛି ରାଜ୍ୟ ବ୍ୟବସାୟୀ ମହାସଂଘ। ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ବିଭାଗ ନିଜର ସଫଳତାକୁ ନେଇ ଡିଣ୍ଡିମ ପିଟୁଥିବାବେଳେ ଏହା ପଛରେ ଥିବା ସତର ପର୍ଦାଫାସ କରିଛି ବ୍ୟବସାୟୀ ମହାସଂଘ। ଓଡ଼ିଶାରେ କୌଣସି ଉତ୍ପାଦନ ବଢ଼ିନାହିଁ ବୋଲି ରୋକଠୋକ କହିଛି ମହାସଂଘ। ଡାଲି ଜାତୀୟ ପଦାର୍ଥ, ଖାଇବା ତେଲ, ପନିପରିବା ଆଦି କୌଣସିରେ ଉତ୍ପାଦନ ବଢିନାହିଁ। ରାଜ୍ୟ ସରକାରର ବର୍ଷ ପୂର୍ତ୍ତି ପାଇଁ ଆତ୍ମସନ୍ତୋଷ ଛାଡି ଆତ୍ମପର୍ଯ୍ୟାଲୋଚନା କରନ୍ତୁ। ଅନ୍ୟ ରାଜ୍ୟ ଉପରେ ସବୁ କ୍ଷେତ୍ରରେ ଓଡିଶା ନିର୍ଭରଶୀଳ। ଲୋକଙ୍କ ସରକାର କହୁଥିବା ବିଜେପି ସରକାର ଲୋକଙ୍କ ପାଖରେ ପହଞ୍ଚିଲେ ରାଜ୍ୟରେ ଉତ୍ପାଦନ ବଢିଥାନ୍ତା। କିନ୍ତୁ ଏଯାଏ ସରକାରଙ୍କ ସେଭଳି ମାନସିକତା ଓ ଆଭିମୁଖ୍ୟ ଦେଖିବାକୁ ମିଳିନାହିଁ। ରାଜ୍ୟରେ ଦୁଇ ଲକ୍ଷ ଟନ ଆଳୁ ଉତ୍ପାଦନ ବଢିଥିବା ନେଇ ଯୋଗାଣ ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ବ୍ୟବସାୟୀ ମହାସଂଘ। ରାଜ୍ୟ ଉତ୍ପାଦନ କ୍ଷେତ୍ରରେ ବହୁ ପଛରେ। କେବଳ ଶ୍ରେୟ ନେବାକୁ ଉଦ୍ୟମ ନକରି ସରକାର କାମ କରନ୍ତୁ ବୋଲି କହିଲା ମହାସଂଘ।

ସବୁକିଛି କେବଳ କଥାରେ ଚାଲିଛି ବୋଲି ବଡ଼ ଅଭିଯୋଗ କରିଛି ମହାସଂଘ। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ପ୍ରତି ସରକାରଙ୍କ ଅସୂୟା ମନୋଭାବ ଅଛି। ଯେଉଁଥିପାଇଁ ଯୋଜନା ବିଫଳ ହେଉଛି।କାହାକୁ ବିଶ୍ୱାସକୁ ନ ନେଇ ନିଜେ ନିଷ୍ପତ୍ତି ନେଲେ କିଛିବି ସଫଳ ହେବ ନାହିଁ ବୋଲି କହିଛନ୍ତି। ସରକାର ଲୋକଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ନିବେଦନ କରିଛି ବ୍ୟବସାୟୀ ମହାସଂଘ। କୃଷି ଉତ୍ପାଦନ କ୍ଷେତ୍ରରେ ଜାତୀୟ ହାରଠୁ ଓଡ଼ିଶା ବହୁତ ପଛରେ ରହିଛି। ବର୍ଷେ ହେଲା ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ଏବେ ବି ସେହି କାମ ଜାରି ରହିଛି।ବର୍ଷେ ସମୟ ଦେଇଥିବା ଓଡ଼ିଶାବାସୀ ଆଉ ମିଛକୁ ପ୍ରଶ୍ରୟ ଦେବେନି।ସମୟ ଦେଖି ଲୋକେ ଏ ସରକାରକୁ ପାନେ ଚଖାଇବା ପାଇଁ ପ୍ରସ୍ତୁତ ବୋଲି କହିଛି ସିଟିଜେନସ ଫୋରମ। ରାଜ୍ୟରେ ବିଜେପି ସରକାର ଆସିବା ପରେ ଲଗାତର ଦରଦାମ ବୃଦ୍ଧି ପାଇଚାଲିଛି। କୌଣସି ସାମଗ୍ରୀ ଦର ନିୟନ୍ତ୍ରଣରେ ନାହିଁ।ଏଭଳି ସ୍ଥିତିରେ କୌଣସି ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନନେଇ ବର୍ଷେ ପୂର୍ତ୍ତି ପାଇଁ ମିଛ ପ୍ରଚାର କରିବାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।