ମରଣଯନ୍ତା ପାଲଟିଛି କଣ୍ଟାମାଳ ବ୍ଲକ ବଘିଆବାହାଲ-ଝିଙ୍କରପାଲି ରାସ୍ତା

କଣ୍ଟାମାଳ  ; ରାସ୍ତା ମଝିରେ ଗର୍ତ୍ତ । କେଉଁଠି କଂକ୍ରିଟ ଗେଟି ଗଡୁଛି ତ କେଉଁଠି ରାସ୍ତା ଫାଟି ଆଁ କରିଛି । ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଂଚାୟତର ବଘିଆବାହାଲ ଠାରୁ ଝିଙ୍କରପାଲି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା । ବଘିଆବାହାଲ ଡାକଘର ଛକ ୪୧ ନମ୍ବର ରାଜ୍ୟ ରାଜପଥ ଠାରୁ ଝିଙ୍କରପାଲି ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ରାସ୍ତାର ଅଧିକାଂଶ ସ୍ଥାନରେ ପିଚୁ ଉଠିଯିବା ପରେ ରାସ୍ତାରେ ଦିଆଯାଇଥିବା ମେଟାଲ, ଚିପ୍ସ ଓ ପିଚୁ ଉଠି ରାସ୍ତା ଉପରେ ଗଦା ହୋଇ ରହୁଛି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ।

୨୦୧୭ ମସିହାରେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଏହି ତିନି କିଲୋମିଟର ନଅ ଶହ ମିଟର ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତା ଉପରେ ୮ ଖଣ୍ଡ ଗାଁ ଲୋକେ ନିର୍ଭର କରନ୍ତି । ହେଲେ ରାସ୍ତାର ଦୁରବସ୍ଥା ଏବେ ଲୋକଙ୍କ ପାଇଁ କାଳ ସାଜିଛି । ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ବୟସ୍କ ଲୋକେ ଓ ସ୍କୁଲ ପିଲାମାନେ ସମସ୍ଯାରେ ପଡୁଛନ୍ତି । ଏଥିସହ ବର୍ଷା ଦିନେ ଅଞ୍ଚଳକୁ ଆମ୍ବୁଲାନ୍ସ ଯିବା କଷ୍ଟକର ହୋଇ ପଡୁଛି । ସମସ୍ଯା ନେଇ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ଯ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଯିବା ସହ ତୁରନ୍ତ ରାସ୍ତା ମରାମତି ପାଇଁ ଦାବି କରିଛନ୍ତି ।