ପାଠ ପଢ଼ା ପରେ ଅବସର ସମୟରେ ମାଟିରେ ତିଆରି କରୁଛନ୍ତି ଭଳିକି ଭଳି ମୂର୍ତ୍ତି

ଚଣ୍ଡିଖୋଲ : ମାଟିରେ ତିଆରି ହୋଇଛି ଭଳିକି ଭଳି ମୂର୍ତ୍ତି । ଜଗନ୍ନାଥ, ଶ୍ରୀକୃଷ୍ଣ, ଗଣେଶ, ପଶୁ ପକ୍ଷୀ, ଡାଇନୋସର, କଣ୍ଢେଇ ଭଳି ବିଭିନ୍ନ ପ୍ରକାରର ମୂର୍ତ୍ତି । ଏହା ସହିତ ଘର ସଜେଇବା ଜିନିଷ ମଧ୍ୟ ତିଆରି ହୋଇଛି । ମାଟିରେ ଭଳିକି ଭଳି ମୂର୍ତ୍ତି ତିଆରି କରି ଚର୍ଚ୍ଚାରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଦ୍ମନାଭପୁର ଗାଁର କଲେଜ ଛାତ୍ରୀ ପ୍ରୀତିଲତା ରାଉତ । ସେ ଦୁଇ ବର୍ଷ ହେବ ସେ ଏହି ଟେରାକୋଟା କାମ କରି ଆସୁଛନ୍ତି । ପ୍ରଥମେ ମାଟିକୁ ଚକଟି ଆକାର ଦେବା ପରେ ପୋଡ଼ାଯାଇଥାଏ । ଏହାପରେ ମୂର୍ତ୍ତି ଗୁଡ଼ିକରେ ବିଭିନ୍ନ ପ୍ରକାରର ରଙ୍ଗ ଦେଇ ପ୍ରସ୍ତୁତ କରାଯାଉଛି । ପ୍ରୀତିଲତାଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇଉଠୁଛି ମାଟି ମୂର୍ତ୍ତି । ଦିନକୁ ଦିନ ଆଧୁନିକ ଯୁଗରେ ମାଟି ମୂର୍ତ୍ତିର ଚାହିଦା କମି କମି ଯାଉଥିବା ବେଳେ ଏହାକୁ ଉଜ୍ଜୀବିତ କରି ରଖିବା ସହ ଏଥିରେ ସ୍ଵାବଲମ୍ବୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରୀତିଲତା ।

ପ୍ରୀତିଲତାଙ୍କ ହାତ ତିଆରି ଟେରାକୋଟା କାମର ରହିଛି ବେସ ଚାହିଦା । ଏହି ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ଷ୍ଟଲ୍ ପକାଇ ଏହି ଟେରାକୋଟା ସାମଗ୍ରୀକୁ ବିକ୍ରି କରୁଛନ୍ତି । ଏତିପାଇଁ ତାଙ୍କୁ  ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହିତ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଛି । ପ୍ରିତିଲତା ପାଠ ପଢ଼ା ସହ ଅବସର ସମୟରେ ସେ ଏହି ସବୁ ମୂର୍ତ୍ତି କାମରେ ନିଜକୁ ନିୟୋଜିତ କରିଥାନ୍ତି । ଆଗକୁ ସରକାରୀ ସହାୟତା ମିଳିଲେ ଏହି କାର୍ଯ୍ୟକୁ ଆଗକୁ ବଢ଼ାଇବା ସହ ଏଥିରେ ରୋଜଗାରକ୍ଷମ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ପ୍ରୀତିଲତାଙ୍କ ଏଭଳି କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି। ବୁଡ଼ିଯାଉଥିବା ମାଟି କାରିଗରୀକୁ ବଞ୍ଚାଇ ରଖିବା ସହିତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଥିବା ପ୍ରିତିଲତା।  ସରକାରୀ ସହାୟତା ସହିତ ବିକ୍ରି ପାଇଁ ବଜାର ବ୍ୟବସ୍ଥା କରାଇବାକୁ ଦାବି ହୋଇଛି ।