ଆସିଛି ରଜ, ସବୁଠି ଉତ୍ସାହର ମାହୋଲ

1 min read

ନନ୍ଦିଘୋଷ ବ୍ୟୁରୋ : ବନସ୍ତେ ଡାକିଲା ଗଜ, ବରଷକ ଥରେ ଆସିଛି ରଜ । ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସୀ ଗୀତରେ ମସଗୁଲ କୁମାରୀ । ପ୍ରଚଣ୍ଡ ରୌଦ୍ର ପରେ ଭିଜିଛି ଧରଣୀ । ଆଉ ଏହି ସନ୍ଧିକ୍ଷଣରେ ଭୁବନେଶ୍ବର ପାତ୍ରପଡ଼ାରେ ଜମିଛି ରଜ ମଉଜ । ପାତ୍ରପଡା-ଭାଗବନପୁର ଯୁବ ବାହିନୀ ଓ ମହାରାଜା କ୍ରିକେଟ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି ରଜ ଉତ୍ସବ । ୪ ଦିନିଆ ଉତ୍ସବରେ ଲାଗିଛି ୧୫୦ରୁ ଅଧିକ ଦୋଳି । ମେୟର, ବିଧାୟକ ଏହାକୁ ଉଦଘାଟନ କରିଛନ୍ତି । ସେପଟେ ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗାଁରେ ମଧ୍ୟ ଜମିଛି ରଜ ମଉଜ । ୪ଶହ ଦୋଳି ସାଙ୍ଗକୁ ଆୟୋଜିତ ହୋଇଛି ବିଭିନ୍ନ ପ୍ରତିଯୋଗିତା । ଜମିଛି ବାଗୁଡ଼ି ସାଙ୍ଗକୁ ପଶାପାଲିର ଆସର । ରଜରେ ରଜପାନର ରହିଛି ବେଶ ଚାହିଦା । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଇନ୍ଦିରାଗାନ୍ଧୀ ପାର୍କ ନିକଟରେ ମିଳୁଛି ଫାୟାର ପାନ । ୩୨ ପ୍ରକାର ମସଲା ପକାଇ ଲୋକଙ୍କୁ ୧୫ ଟଙ୍କାରେ ଯୋଗାଇ ଦେଉଛନ୍ତି ପାନ ଦୋକାନୀ ଗଣେଶ ଭାଇ ।

କଟକରେ ପହିଲି ରଜରେ କୁନି କୁନି ଝିଅଙ୍କ ଠାରୁ ଯୁବତୀ, ନବବଧୂ ଓ ମହିଳା,  ସମସ୍ତେ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ପିଠା ଖାଇ ଦୋଳିର ମଜା ନେଉଛନ୍ତି । ୫୦ ପ୍ରକାର ମସଲା ପକାଇ ବ୍ଯବସାୟୀମାନେ ବନାଉଛନ୍ତି ରଜପାନ । ବିଶେଷ କରି ଖାନନଗର, ବାଦାମବାଡି, ଖପୁରିଆ, ନୂଆପଡା, କଲେଜ ଛକ ଆଦି ସ୍ଥାନରେ ଏହି ପାନ ଦୋକାନରେ ଜମୁଛି ଭିଡ଼ । ରାଉରକେଲା ସିଭିଲ ଟାଉନସିପ ଠାରେ ରଜପର୍ବ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସିଭିଲ ଟାଉନସିପପ ସାଂସ୍କୃତିକ ପରିଷଦ, ସିଭିଲ ଚାର୍ଜସ ଓ ମାଆ ଇନ୍ଦିରା ମହିଳା ସମିତି ପକ୍ଷରୁ ମିଳିତ ଏହାକୁ ପାଳନ କରାଯାଉଛି । ୫ ଦିନ ଧରି ପାଳିତ ହେଉଛି ଓଡ଼ିଶାର ଗଣପର୍ବ ରଜ । ପ୍ରଥମ ଦିନ ସଜବାଜ, ଦ୍ବିତୀୟର ପହିଲି ରଜ, ରଜ ସଂକ୍ରାନ୍ତି, ଶେଷ ତଥା ପଞ୍ଚମ ଦିନରେ ହୁଏ ବସୁମତି ସ୍ନାନ ।