ମଜାକ ପାଲଟିଲାଣି ପାରଦର୍ଶୀ ପୋର୍ଟାଲ, ଗରିବ ପିଲାଙ୍କୁ ଆଡମିଶନ ବେଳେ ଠକିଥିଲେ ଏବେ ବଦଳି ବେଳେ ବି ଠକୁଛନ୍ତି

ଭୁବନେଶ୍ୱର : ହାତରେ ନହେଲେ ଭାତରେ ମାରୁଛନ୍ତି । ପାରଦର୍ଶୀ ପୋର୍ଟାଲରେ ଆଡମିଶନ ବେଳେ ଠକିଥିଲେ ଏବେ ସ୍କୁଲ ବଦଳି ବେଳେ ବି ଠକୁଛନ୍ତି । ପୂର୍ବରୁ ନିୟମ ଥିଲେ ମଧ୍ୟ ରାଜ୍ୟର ବହୁ ଘରୋଇ ସ୍କୁଲ ଗରିବ ପିଲାଙ୍କୁ ମାଗଣା ଶିକ୍ଷା ଦେବାରୁ ବଂଚିତ କରିଛନ୍ତି । ବହୁ ସ୍କୁଲ ନିଜକୁ ପାରଦର୍ଶୀ ପୋର୍ଟାଲରେ ପଞ୍ଜିକୃତ କଲେ ନାହିଁ । ଏବେ ଆଉ ଏକ ଉପାୟରେ ଗରିବ ପିଲାଙ୍କୁ ଠକା ଯାଉଥିବା ଅଭିଯୋଗ ହୋଇଛି । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଗରିବ ପିଲା ବିଭିନ୍ନ ଘରୋଇ ସ୍କୁଲରେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ମାଗଣାରେ ପଢିବାକୁ ବ୍ୟବସ୍ଥା କରାଯାଇଥିଲା । ଏହି ବ୍ୟବସ୍ଥାକୁ ବିଜେଡି ସରକାର କାର୍ଯ୍ୟକାରୀ କରିଥିଲେ । କିଛି କ୍ଷେତ୍ରରେ କୌଣସି ଅଭିଭାବକ ଯଦି କୌଣସି କାରଣରୁ ସ୍ଥାନ ପରିବର୍ତ୍ତନ କରେ ତାଙ୍କ ପିଲାଙ୍କୁ ଅନ୍ୟତ୍ର ଅନ୍ୟ ଘରୋଇ ସ୍କୁଲରେ ପଢିବାର ବ୍ୟବସ୍ଥା ରହିଛି । କିନ୍ତୁ ସେଠାରେ ପିଲାଙ୍କୁ କିଭଳି ଆଡମିଶନ ନ ମିଳିବ ସେଥିପାଇଁ ଷଡ଼ଯନ୍ତ୍ର ମଧ୍ୟ କରୁଥିବା ଅଭିଯୋଗ ହୋଇଛି । ସରକାରଙ୍କ ପାଖରେ ବିଭିନ୍ନ ସ୍କୁଲର ଆରଟିଇ ସିଟ ନେଇ ତଥ୍ୟ ରହିଥିଲେ ମଧ୍ୟ ସେହି ସ୍କୁଲର ଇଚ୍ଛା ଅନୁଯାୟୀ ଆଡମିଶନ ମିଳୁଛି । ଫଳରେ ଅନେକ ଗରିବ ପିଲା ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଭିଭାବକ ସଂଘ ସମେତ ଜନସଂଗଠନ ଗୁଡ଼ିକ ସରକାର ଉପରେ ବର୍ଷିଛନ୍ତି। …

ଶିକ୍ଷା କ୍ଷେତ୍ରରେ ଏଭଳି ଠକାମି ବିରୋଧରେ ଆନ୍ଦୋଳନ ବ୍ୟାପକ ହେବ ବୋଲି କୁହାଯାଇଛି । ଅନ୍ୟାନ୍ୟ ଦଳ ବିରୋଧ କରୁଥିବା ବେଳେ ଏବେ ସାଧାରଣ ଲୋକେ ବିରୋଧ କରିବେ । ବିଜେପି ସରକାରକୁ ଟେକ୍ନିକାଲି ମିଛୁଆ ସରକାରର ଆଖ୍ୟା ଦେଇଛି ଓଡିଶା ସିଟିଜେନସ ଫୋରମ । ସେପଟେ ଶିକ୍ଷା ଅଧିକାର ଫୋରମର କହିବା କଥା ସରକାରଙ୍କ ଏଭଳି ମନୋଭାବ ଯୋଗୁଁ ପ୍ରତିଭାବାନ ଗରିବ ପିଲାମାନେ ଗୁଣାତ୍ମକ ପାଠପଢ଼ାରୁ ବଂଚିତ ହେଉଛନ୍ତି । ତେଣୁ ସରକାର ଯେଉଁ ନିୟମ ନିଜେ କରିଛନ୍ତି ତାକୁ ପାଳନ କରନ୍ତୁ ବୋଲି କୁହାଯାଇଛି । ବିନା ବିଚାରବିମର୍ଶରେ ଜାତୀୟ ଶିକ୍ଷା ନୀତି ଲାଗୁ କରି ଶିକ୍ଷକ, ଶିକ୍ଷାବିତ ଓ ଲୋକଙ୍କ ରୋଷର ଶିକାର ହୋଇଥିବା ସରକାର ଏବେ ଶିକ୍ଷା ଅଧିକାର ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ ନ କରିବାକୁ ନେଇ ଅସନ୍ତୋଷ ବ୍ୟାପକ ହୋଇଛି।