କଣ ଚାହୁଁଛି ଆମେରିକା ? କାହିଁକି ମୁନୀରଙ୍କୁ ଡାକିଲେ ଟ୍ରମ୍ପ ?

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଆମନ୍ତ୍ରିତ ଅତିଥି ପାକିସ୍ତାନ ସେନାମୁଖ୍ୟ ଜେନେରାଲ ଆସିମ ମୁନୀର। ହ୍ଵାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଲେ ମଧ୍ୟାହ୍ନ ଭୋଜନ। ବୈଦେଶିକ ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟି ହେଗସେଥଙ୍କ ସହ ମୁନୀର ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଆମେରିକା ଚାହୁଁଛି କଣ ? ପାକିସ୍ତାନୀର ସେନାମୁଖ୍ୟଙ୍କୁ ଡାକି ଭାରତକୁ କଣ ସନ୍ଦେଶ ଦେବାକୁ ଚାହୁଁଛନ୍ତି ? ଯଦିଓ କୁଟନୈତିକ ମହଲରେ ଏଭଳି ଚର୍ଚ୍ଚା ହେଉଛି ତଥାପି ଉଭୟଙ୍କ ଲଞ୍ଚ କରିବାକୁ ନେଇ ଅଧିକ ଚର୍ଚ୍ଚା ଘନେଇଛି ।
ସେପଟେ ଟ୍ରମ୍ପ କହିଛନ୍ତି କି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ସମାପ୍ତ କରାଯାଇଛି । ଯୁଦ୍ଧ ବନ୍ଦ ହେବା ପରେ ଉଭୟଙ୍କ ଧନ୍ୟବାଦ ଦେବାକୁ ଚାହୁଁଛୁ । ଭାରତ ଏବଂ ପାକିସ୍ତାନ ସହ ବାଣିଜ୍ୟ ଚୁକ୍ତି ଉପରେ କାମ କରୁଛୁ । ମୁଁ ବହୁତ ଖୁସି, ମୋଦି ଏବଂ ମୁନୀର ବହୁତ ଜ୍ଞାନୀ ବ୍ୟକ୍ତି, ଉଭୟ ଯୁଦ୍ଧ ଜାରି ନରଖିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମୋଦି ଆମେରିକା ଆସିଥିଲେ ଆଉ ଏବେ ମୁନୀର ଆସିଛନ୍ତି । ମୁଁ ଉଭୟଙ୍କ ଭେଟି ବେଶ ସମ୍ମାନିତ ମନେ କରୁଛି । ମୁଁ ଯୁଦ୍ଧ ବନ୍ଦ କରି ଦେଇଛି । ମୋଦିଙ୍କ ସହ କଥା ହୋଇଛି ଆମେ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛୁ । ସେପଟେ ଆମେରିକା ଗସ୍ତ ପୂର୍ବରୁ ମୁନୀର କହିଛନ୍ତି କି, ଆମେ ଚାହୁଁଛୁ ଯୁଦ୍ଧ ତୁରନ୍ତ ଶେଷ ହେଉ । ପାକି୍ତାନକୁ ଏକ ସଭ୍ୟ ରାଷ୍ଟ୍ରଭାବେ ଦେଖାଯାଉ ।